ଓଡିଶା

odisha

ETV Bharat / bharat

ଝାଡଖଣ୍ଡରେ ପ୍ରଥମ ପର୍ଯ୍ୟାୟ ମତଦାନ: ୱାୟନାଡ ଲୋକସଭା ସହ 31 ବିଧାନସଭା ଆସନରେ ଉପନିର୍ବାଚନ - JHARKHAND ASSEMBLY ELECTION 2024

ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ କାଉଣ୍ଟଡାଉନ । ୱାୟନାଡ ଲୋକସଭା ଉପନିର୍ବାଚନ । ସେପଟେ 10 ରାଜ୍ୟରେ ବିଧାନସଭା ଉପନିର୍ବାଚନ ।

ଝାଡଖଣ୍ଡରେ ପ୍ରଥମ ପର୍ଯ୍ୟାୟ ମତଦାନ
ଝାଡଖଣ୍ଡରେ ପ୍ରଥମ ପର୍ଯ୍ୟାୟ ମତଦାନ (ETV Bharat)

By ETV Bharat Odisha Team

Published : Nov 12, 2024, 11:12 PM IST

ରାଞ୍ଚି: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ କାଉଣ୍ଟଡାଉନ । ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । 13 (ମଙ୍ଗଳବାର) ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସୋମବାର ପ୍ରଚାର ଶେଷ ହୋଇଥିଲା । ପ୍ରଚାରର ଶେଷ ଦିନରେ ମୈଦାନକୁ ଓହ୍ଲାଇଥିଲେ ବହୁ ହେଭିୱେଟ୍ । ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ସଢେଇକଳାରେ ପ୍ରଚାର କରିଥିଲେ। ସେପଟେ କେରଳ ୱାୟନାଡ ଆସନ ପାଇଁ ମଧ୍ୟ ହେବାକୁ ଯାଉଛି ମତଦାନ । ରାହୁଲ ଗାନ୍ଧୀ ଏହି ଆସନରୁ ପ୍ରାର୍ଥୀ ହୋଇ ନିର୍ବାଚନ ଜିତିଥିଲେ ବି ରାୟବରେଲୀକୁ ବାଛିଥିଲେ । ତେଣୁ ୱାୟନାଡ ଆସନ ଖାଲି ପଡିଥିବାରୁ ଏଠାରେ ଉପନିର୍ବାଚନ ହେଉଛି । ଯେଉଁଥିରେ ରାହୁଲଙ୍କ ସ୍ଥାନରେ ପ୍ରାର୍ଥୀ ହୋଇଛନ୍ତି ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ । ସେହିପରି 10 ରାଜ୍ୟରେ 31 ଆସନରେ ବିଧାନସଭା ଉପନିର୍ବାଚନ ହେବାକୁ ଯାଉଛି ।

ଝାଡଖଣ୍ଡରେ 43 ଆସନ ପାଇଁ ମତଦାନ:

ପ୍ରଥମ ପର୍ଯ୍ୟାୟ ମତଦାନରେ 43 ଆସନ ପାଇଁ ପଡିବ ଭୋଟ୍ । 683 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ଏଥିପାଇଁ 15ଟି ଜିଲ୍ଲାରେ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଥିବାବେଳେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ପ୍ରଥମ ପର୍ଯ୍ୟାୟ ମତଦାନ ବହୁ ଗୁରୁତ୍ବ ବହନ କରୁଛି । କାରଣ ଏହି ପର୍ଯ୍ୟାୟ 4 ଜଣ ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ପାଇଁ ସମ୍ମାନର କଥା । କହିରଖୁଛୁ, ଝାଡଖଣ୍ଡରେ ଦୁଇଟି ପର୍ଯ୍ୟାୟରେ ଭୋଟ ଅନୁଷ୍ଠିତ ହେବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟ (ନଭେମ୍ବର 13)ରେ 43ଟି ସିଟରେ ମତଦାନ ହେବାକୁ ଯାଉଛି । ସେହିପରି ଦ୍ବିତୀୟ ପର୍ଯ୍ୟାୟ ବା ଅନ୍ତିମ ପର୍ଯ୍ୟାୟ(ନଭେମ୍ବର 20)ରେ 38ଟି ଆସନରେ ମତଦାନ ହେବ ।

ମତଦାନ କେନ୍ଦ୍ରରେ ବ୍ୟାପକ ପ୍ରସ୍ତୁତି:

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କେ ରବି କୁମାର ଇଟିଭି ଭାରତକୁ ପ୍ରତିକ୍ରିୟାରେ କହିଛନ୍ତି, "ଝାଡଖଣ୍ଡକୁ ଲାଗିଥିବା ଅନ୍ୟ ରାଜ୍ୟର ସୀମା ସିଲ୍ ହେବ । ନକ୍ସଲ ପ୍ରଭାବିତ ଅଞ୍ଚଳରେ ଝାଡଖଣ୍ଡ ପୋଲିସ ସହ କେନ୍ଦ୍ରୀୟ ସୁରକ୍ଷା ବାହିନୀ ସମସ୍ତ ମତଦାନ କେନ୍ଦ୍ରରେ ନିୟୋଜିତ ରହିବେ । ମହିଳା ଭୋଟରଙ୍କ ଅଧିକରୁ ଅଧିକ ଅଂଶଗ୍ରହଣ ସ୍ୱାଗତଯୋଗ୍ୟ । ଚଳିତ ନିର୍ବାଚନରେ ଏପରି ଅନେକ ବିଧାନସଭା ନିର୍ବାଚନମଣ୍ଡଳୀ ଅଛି ଯେଉଁଠାରେ ପୁରୁଷଙ୍କ ଅପେକ୍ଷା ଅଧିକ ମହିଳା ଭୋଟର ଅଛନ୍ତି।"

ଏହା ବି ପଢନ୍ତୁ...ଝାଡ଼ଖଣ୍ଡରେ ଥମିଲା ପ୍ରଚାର, ଚମ୍ପାଇଙ୍କ ପାଇଁ ଭୋଟ ମାଗିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ହାଇପ୍ରୋଫାଇଲ ସିଟ୍:

ପ୍ରଥମ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ଆସନ ମଧ୍ୟରେ ରହିଛି ବହୁ ହାଇପ୍ରୋଫାଇଲ ସିଟ୍ । ସେଗୁଡିକ ହେଉଛି ସଢେଇକଳା, ଗଢୱା, ହୁସେନାବାଦ, ରାଞ୍ଚି, ଡାଲଟନଗଞ୍ଜ, କୋଡରମା, ଜାମସେଦପୁର ପୂର୍ବ ଏବଂ ଲୋହରଦଗା । ଓଡ଼ିଶା ରାଜ୍ୟପାଳ ତଥା ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ଦାସ ସାହୁ, ବିଧାୟକ ସିପି ସିଂ, ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ, ମନ୍ତ୍ରୀ ଡକ୍ଟର ରାମେଶ୍ବର ଉରାଂବ, ବନା ଗୁପ୍ତା, ଦୀପକ ବିରୁୱା ଏବଂ ରାମଦାସ ସୋରେନଙ୍କ ଭଳି ହେଭିୱଟ୍ ପ୍ରାର୍ଥୀ ଅଛନ୍ତି । ପ୍ରଥମ ପର୍ଯ୍ୟାୟରେ ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ।

ଏହି ଆସନରେରେ ଉପନିର୍ବାଚନ:

ଆସନ୍ତାକାଲି ଉପନିର୍ବାଚନ ହେବାକୁ ଥିବା ବିଧାନସଭା ଆସନ ହେଉଛି ରାଜସ୍ଥାନ-7, ପଶ୍ଚିମବଙ୍ଗ -6, ଆସାମ -5, ବିହାର -4, କର୍ଣ୍ଣାଟକ-3 , ମଧ୍ୟପ୍ରଦେଶ-2 । ସେହିପରି ଛତିଶଗଡ, ଗୁଜୁରାଟ, କେରଳ ଓ ମେଘାଳୟରେ ଗୋଟିଏ ଲେଖାଏଁ ଆସନ ରହିଛି । କେରଳର ୱାୟନାଡ ଲୋକସଭା ଆସନ ପାଇଁ ମଧ୍ୟ ଉପନିର୍ବାଚନ ହେବ।

ଏହା ବି ପଢନ୍ତୁ...ଝାଡଖଣ୍ଡ ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ; 40 ଜଣିଆ ତାଲିକାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଏହା ବି ପଢନ୍ତୁ...ନିର୍ଣ୍ଣାୟକ ହେବେ ଓଡିଆ ଭୋଟର ! ଝାଡଖଣ୍ଡ ମୁହାଁ ମାଳ ମାଳ ଓଡିଆ ନେତା

ABOUT THE AUTHOR

...view details