ଗୌହାଟୀ:ଦୁଇ ଦିନିଆ ଆସାମ ଗସ୍ତରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି(ଶନିବାର) ସକାଳ ସମୟରେ କାଜିରଙ୍ଗା ଜାତୀୟ ଉଦ୍ୟାନ ଏବଂ ବ୍ୟାଘ୍ର ସଂରକ୍ଷଣ ବୁଲିଥିଲେ ମୋଦି । ହାତୀ ପିଠିରେ ବସି କାଜିରଙ୍ଗା ବୁଲିଥିଲେ । ପରେ ଜିପରେ ବସି ଟାଇଗର ରିଜର୍ଭ ବୁଲି ଦେଖିଥିଲେ । UNESCO ମାନ୍ୟତା ପାଇଥିବା ଏହି ଉଦ୍ୟାନକୁ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଗସ୍ତ କରି ପ୍ରାୟ ଦୁଇ ଘଣ୍ଟା ବିତାଇଥିଲେ । ଏହି ଯାତ୍ରା ସମୟରେ ମୋଦି 'ବନ ଦୁର୍ଗା'ର ସଦସ୍ୟ, ମହିଳା ବନ ସୁରକ୍ଷା କର୍ମୀ, ହାତୀ ମାହୁନ୍ତ ଏବଂ ଜଙ୍ଗଲ ଅଧିକାରୀଙ୍କ ସହ କଥାବାର୍ତ୍ତା ହୋଇଥିଲେ ।
ହାତୀ ପିଠିରେ ଓ ଜିପରେ ବୁଲିରେ ମୋଦି: କାଜିରଙ୍ଗା ଜାତୀୟ ଉଦ୍ୟନ ବୁଲିବା ବେଳେ ମୋଦି ହାତୀ ପିଠିରେ ବସିଥିଲେ । ହାତୀ ପିଠିରେ ବସି ପୁରା ଉଦ୍ୟାନ ବୁଲିଥିଲେ । ଏହାପରେ ଏକ ଜିପରେ ମଧ୍ୟ ବୁଲିଥିଲେ । ହାତରେ ଏକ କ୍ୟାମେରା ଧରି ଫଟୋ ଉତ୍ତୋଳନ ମଧ୍ୟ କରୁଥିବା ନଜର ଆସିଥିଲେ । ଏହି ସମୟରେ ସ୍ବତନ୍ତ୍ର ପୋଷାକରେ ନଜର ଆସିଥିଲେ ପ୍ରଧାନମନ୍ତ୍ରୀ ।
'କାଜିରଙ୍ଗା ସମସ୍ତେ ପରିଦର୍ଶନ କରନ୍ତୁ': ପ୍ରଧାନମନ୍ତ୍ରୀ ଟ୍ବିଟ କରି କହିଛନ୍ତି, ''ଆଜି ସକାଳେ ମୁଁ ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନରେ ଥିଲି । ସବୁଜ ପରିବେଶରେ ଥିବା ୟୁନେସ୍କୋ ବିଶ୍ବ ଐତିହ୍ୟ ସ୍ଥଳରେ ବିଭିନ୍ନ ପ୍ରକାରର ପ୍ରାଣି ଓ ଉଦ୍ଭିଦ ରହିଛନ୍ତି । ଏଥିସହ ଏଠାରେ ଶିଙ୍ଗିଆ ରାଇନୋ ମଧ୍ୟ ରହିଛି । ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି କାଜିରଙ୍ଗା ଜାତୀୟ ଉଦ୍ୟାନ ସମସ୍ତେ ପରିଦର୍ଶନ କରନ୍ତୁ ଏବଂ ଏହାର ସୁନ୍ଦରତାକୁ ଉପଭୋଗ କରନ୍ତୁ । ଏହା ଏପରି ଏକ ସ୍ଥାନ ଯେଉଁଠାରେ ଆପଣଙ୍କୁ ଆତ୍ମତୃପ୍ତି ଲାଭ ହେବ ଏବଂ ଆସାମବାସୀଙ୍କ ସହିତ ଆପଣଙ୍କୁ ଯୋଡିଥାଏ । ''