ନୂଆଦିଲ୍ଲୀ:ଲୋକସଭା ନିର୍ବାଚନ ଶେଷ ହୋଇଛି । ଦେଶରେ କିଏ ଗଢିବ ସରକାର, କାହାକୁ ଭରସା କରିଛନ୍ତି ଜନତା ତାହା ଫଳାଫଳ ଆସିବା ପରେ ସ୍ପଷ୍ଟ ହେବ । ଏହା ପୂର୍ବରୁ ବିଭିନ୍ନ ସଂସ୍ଥା ପକ୍ଷରୁ ଏକଜିଟ ପୋଲ ପ୍ରକାଶ ପାଇଛି । ଏକଜିଟ ପୋଲ ଅନୁଯାୟୀ ବିଜେପିକୁ ବହୁମତ ମିଳିବା ନେଇ ଆକଳନ କରାଯାଉଛି । ତେଣୁ ନୂତନ ସରକାର ଗଠନ ହେବାର ପ୍ରଥମ 100 ଦିନର ଏଜେଣ୍ଡା ନେଇ ଆଜି ପ୍ରଧାନମନ୍ତ୍ରୀ ସମୀକ୍ଷା ବୈଠକ କରିବେ । ଏଥିସହ 7ଟି ପ୍ରସଙ୍ଗ ଉପରେ ଆଜି ମାରଥନ ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ପ୍ରଥମେ ଉତ୍ତର-ପୂର୍ବ ରାଜ୍ୟଗୁଡିକରେ ହୋଇଥିବା ବାତ୍ୟା ରେମାଲ ପ୍ରଭାବକୁ ନେଇ ସମୀକ୍ଷା କରିବେ ମୋଦି । ପରେ ଦେଶରେ ଗ୍ରୀଷ୍ମ ପ୍ରବାହ ନେଇ ନେଇ ସମୀକ୍ଷା କରିବେ । ସେହିପରି ବିଶ୍ବ ପରିବେଶ ଦିବସ ପାଳନ ନେଇ ମଧ୍ୟ କରିବେ ସମୀକ୍ଷା । ଶେଷରେ 100 ଦିନର ଏଜେଣ୍ଡା ନେଇ ବୈଠକ କରିବେ ।
ବାତ୍ୟା ପରବର୍ତ୍ତୀ ସ୍ଥିତିର ସମୀକ୍ଷା:ଆଜି ବାତ୍ୟା ରେମାଲର ପରବର୍ତ୍ତୀ ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ । ଉତ୍ତର-ପୂର୍ବ ରାଜ୍ୟରେ ବାତ୍ୟା ରେମାଲ ତାଣ୍ଡ ରଚିଥିବା ବେଳେ ଅନେକଙ୍କ ଜୀବନ ଯାଇଛି । ମେ' 28ରେ ପଶ୍ଚିମବଙ୍ଗର ସାଗର ଦ୍ବୀପ ଓ ବାଂଲାଦେଶ ଉପକୂଳ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିଥିଲା ରେମାଲ । ଲ୍ୟାଣ୍ଡଫଲ କରିବା ସମୟରେ ପବନର ସର୍ବାଧିକ ଘଣ୍ଟା ପ୍ରତି 130 କି.ମି ରହିଥିଲା । ପ୍ରବଳ ବର୍ଷା ସହ ପବନରେ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି ।