ଲକ୍ଷ୍ନୌ:ଦୁଇ ଦିନିଆ ବାରଣାସୀ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତକାଲି (ଗୁରୁବାର) ରାତିରେ ଫ୍ଲାଏ ଓଭର ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଛି । ହଠାତ୍ କାରରୁ ବାହାରି ମୋଦି ଏଭଳି ଚାଲି ଚାଲି ଯିବା ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏପରିକି ସେହି ସମୟରେ ସେଠାରେ ଉପସ୍ଥିତ ଥିବା ପୋଲିସ ମଧ୍ୟ ଦୌଡ଼ିବାକୁ ଲାଗିଥିଲେ । ପ୍ରଧାନମନ୍ତ୍ରୀଙ୍କ ପଛକୁ ରହିଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସୂଚନା ଅନୁସାରେ, ଗତକାଲି ରାତିରେ ବାରଣାସୀ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ମୋଦି। ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ ।
ପ୍ରଥମେ ବାବତପୁର ସ୍ଥିତ ଲାଲ ବାହାଦୂର ଶାସ୍ତ୍ରୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । ଏହାପରେ ସେଠାରୁ 25 କିଲୋମିଟର ଦୂରରେ ଅବସ୍ଥିତ ଗେଷ୍ଟ ହାଉସକୁ ସଡ଼କପଥରେ ଯାତ୍ରା କରୁଥିଲେ । ସେହି ସମୟରେ ପୁଷ୍ପ ବୃଷ୍ଟି କରାଯାଇ ମୋଦିଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ସ୍ଥାନୀୟଲୋକେ ନିଜ ନିଜ ବାଲକୋନିରୁ ମୋଦିଙ୍କୁ ଦେଖୁଥିବାବେଳେ ସେମାନଙ୍କୁ ଅଭିବାଦନ ଜଣାଇଥିଲେ ପ୍ରଧାନମନ୍ତ୍ରୀ । ତେବେ ଯିବା ବାଟରେ ଘଟିଥିଲା ଆଶ୍ଚର୍ଯ୍ୟଜନକ ଘଟଣା । ପୁଲୱରିଆ ଫ୍ଲାଏ ଓଭର ଉପରେ ଗାଡ଼ି ରଖି ହଠାତ ବାହାରକୁ ବାହାରିଥିଲେ ପ୍ରଧାନମନ୍ତ୍ରୀ । ଯାହା ଦେଖିବା ପରେ ସେଠାରେ ଉପସ୍ଥିତ ଥିବା ପୋଲିସ ଅଧିକାରୀମାନେ ଦୌଡ଼ିବାକୁ ଲାଗିଥିଲେ । ଏହାପରେ ସେହି ଓଭର ବ୍ରିଜ ଉପରେ ପ୍ରଧାନମମନ୍ତ୍ରୀ ମୋଦି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଧୀରେ ଧୀରେ ପାଦରେ ଚାଲି ଚାଲି ଯାଇଥିଲେ ।