ଚଣ୍ଡିଗଡ଼:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହରିୟାଣାରୁ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ଅଯୋଧ୍ୟା ଭବ୍ୟ ରାମ ମନ୍ଦିର ନିର୍ମାଣରେ ବିଳମ୍ବ ଲାଗି ସେ କଂଗ୍ରେସକୁ ଦାୟୀ କରିଛନ୍ତି । କଂଗ୍ରେସର ନେତା, ଯେଉଁମାନେ ଦିନେ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କୁ କାଳ୍ପନିକ ବୋଲି କହୁଥିଲେ, ଆଜି ସେ ମଧ୍ୟ 'ଜୟ ଶ୍ରୀରାମ' ନାରା ଦେଉଥିବା ବେଳେ ରାମନାମ ଜପୁଛନ୍ତି ବୋଲି କହିଛନ୍ତି ମୋଦି । ଆଜି (ଶୁକ୍ରବାର) ହରିୟାଣା ରେୱାରି ଜିଲ୍ଲାରେ ଏକ ଜନସଭାକୁ ସମ୍ବୋଧିତ କରିବା ସମୟରେ ଏପରି ଢଙ୍ଗରେ କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ମୋଦି ଆହୁରି କହିଛନ୍ତି, "ଦେଶ ଚାହୁଁଥିଲେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଭବ୍ୟ ମନ୍ଦିର ଅଯୋଧ୍ୟାରେ ନିର୍ମାଣ କରାଯାଉ । ଆଜି ସାରା ଦେଶ ଦେଖୁଛି ରାମଲାଲା ନିଜ ଭବ୍ୟ ମନ୍ଦିରରେ ବିରାଜି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । କଂଗ୍ରେସ ନେତାମାନେ ଦିନେ ପ୍ରଭୁ ରାମଚନ୍ଦ୍ରଙ୍କୁ କାଳ୍ପନିକ ବୋଲି କହିବା ସହ ରାମ ମନ୍ଦିର ନିର୍ମାଣ ଲାଗି କେବେ ବି ଚାହୁଁନଥିଲେ । ହେଲେ ଆଜି ସେମାନେ 'ଜୟ ଶ୍ରୀରାମ' ନାମ ଜପୁଛନ୍ତି । ଭାରତର ବିଶ୍ବସନୀୟତା ସାରା ବିଶ୍ବସ୍ତରରେ ପହଞ୍ଚୁ ବୋଲି ଦେଶ ଚାହୁଁଥିଲା । ଯାହାକୁ ଆମ ସରକାର ଆଜି ପୂରଣ କରିଛନ୍ତି ।" ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ମହୋତ୍ସବ ଗତ ଜାନୁଆରୀ ୨୨ ତାରିଖରେ ମହା ଆଡମ୍ବରରେ ସମ୍ପନ୍ନ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ତ୍ତା ଭାବେ ଏହି ମହୋତ୍ସବରେ ସାମିଲ ହୋଇଥିଲେ ।
ଏହା ବି ପଢନ୍ତୁ- କଂଗ୍ରେସ ପାଖରେ ନାହିଁ ଭବିଷ୍ୟତ ରୋଡ୍ ମ୍ୟାପ୍: ପ୍ରଧାନମନ୍ତ୍ରୀ