ଗୌହାଟୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 2 ଦିନିଆ ଆସାମ ଗସ୍ତରେ ଆସୁଛନ୍ତି । କାଜିରଙ୍ଗା ଜାତୀୟ ଉଦ୍ୟାନରେ 18ହଜାର କୋଟି ଅର୍ଥ ବିନିଯୋଗରେ ନିର୍ମିତ ପ୍ରକଳ୍ପର ଉଦଘାଟନ କରିବେ ମୋଦି । ସେପଟେ ଆସାମରେ ପହଞ୍ଚିବା ପୂର୍ବରୁ ବିରୋଧୀ ନାଗରିକତା ସଂଶୋଧନ ଅଧିନିୟମ (CAA)କୁ ନେଇ ବିରୋଧ ପ୍ରଦର୍ଶନ କରିଛନ୍ତି । CAAକୁ ବିରୋଧ କରି ନଗାଁଓ ଜିଲ୍ଲାର କାଲିୟାବୋରରେ ବିକ୍ଷୋଭ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।
ସୂଚନା ଅନୁସାରେ, ଆଜି କାଜିରଙ୍ଗାରେ ରାତ୍ରିଯାପନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାଜିରଙ୍ଗାର କୋହରା ରେଞ୍ଜ ସ୍ଥିତ ଗେଷ୍ଟ ହାଉସରେ ପ୍ରଧାନମନ୍ତ୍ରୀ ରହଣୀ କରିବେ ବୋଲି ଜଣାପଡ଼ିଛି । ଏହି ଗେଷ୍ଟ ହାଉସରେ ପୂର୍ବରୁ ରାଷ୍ଟ୍ରପତି ମଧ୍ୟ ରାତ୍ରିଯାପନ କରିସାରିଛନ୍ତି । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଏଠାରେ ରହିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ତେଜପୁରରେ ପହଞ୍ଚିବା ପରେ ହେଲିକପ୍ଟର ଯୋଗେ କାଜିରଙ୍ଗା ଅଭିମୁଖେ ଯାତ୍ରା କରିବାର ଗସ୍ତ ସୂଚୀ ପ୍ରସ୍ତୁତ ହୋଇଛି । ଶନିବାର ଜଙ୍ଗଲ ସଫାରୀ ବୁଲିବେ ପ୍ରଧାନମନ୍ତ୍ରୀ । ଯେଉଁଥିପାଇଁ ସ୍ବତନ୍ତ୍ର ଗାଡ଼ିର ବ୍ୟବସ୍ଥା କରାଯାଇଛି । ସେଠାରେ ପ୍ରଧାନମନ୍ତ୍ରୀ ପାଖାପାଖି 2 ଘଣ୍ଟା ରହିପାରନ୍ତି ବୋଲି ସୂଚନା ମିଳିଛି । ତେବେେ କାଜିରଙ୍ଗା ଜାତୀୟ ଉଦ୍ୟାନ ପରିଭ୍ରମଣ କରୁଥିବା ପ୍ରଥମ ପ୍ରଧାନମନ୍ତ୍ରୀ ହେଉଛନ୍ତି ନରେନ୍ଦ୍ର ମୋଦି ।