ଓଡିଶା

odisha

By ETV Bharat Odisha Team

Published : May 5, 2024, 12:10 PM IST

ETV Bharat / bharat

‘ସାମରିକ ବଳ ପ୍ରୟୋଗ ନୁହେଁ ବରଂ ଭାରତରେ ସ୍ବଇଚ୍ଛାରେ ବିଲୟ ହେବ POK’ - Rajnath Singh on pok

People Of POK Will Want To Join India: ପ୍ରତିରକ୍ଷା ମନ୍ତ୍ରୀଙ୍କ ସଙ୍କେତ । ପାକ୍ ଅଧିକୃତ କାଶ୍ମୀର ଲୋକେ ଭାରତରେ ବିଲୟ ହେବାକୁ ଇଚ୍ଛୁକ । ସମୟ ଆସିଲେ ବଳ ପ୍ରୟୋଗ କରିବାର ଆବଶ୍ୟକତା ପଡିବ ନାହିଁ । ଅଧିକ ପଢନ୍ତୁ

ଭାରତରେ ମିଶିବାକୁ ଚାହାନ୍ତି ପାକ ଅଧିକୃତ କାଶ୍ମୀର ବାସିନ୍ଦା: ରାଜନାଥ
ଭାରତରେ ମିଶିବାକୁ ଚାହାନ୍ତି ପାକ ଅଧିକୃତ କାଶ୍ମୀର ବାସିନ୍ଦା: ରାଜନାଥ (ଫଟୋ- ଇଟିଭି ଭାରତ, ଓଡିଶା)

ନୂଆଦିଲ୍ଲୀ:ପାକିସ୍ତାନ ଅଧିକୃତ କାଶ୍ମୀର (POK) ଉପରେ ଭାରତ କେବେବି ନିଜର ଦାବିଦାରୀକୁ ଦୁର୍ବଳ କରିବ ନାହିଁ । ଏହା ଭାରତର ଅବିଚ୍ଛେଦ୍ୟ ଅଂଶ । କିନ୍ତୁ ଏହି ଅଞ୍ଚଳକୁ ବଳପୂର୍ବକ ଦଖଲକୁ ମଧ୍ୟ ନେବାର ଆବଶ୍ୟକତା ନାହିଁ । କାରଣ କାଶ୍ମୀର, ଏହି କ୍ଷେତ୍ରରେ ପ୍ରତିରକ୍ଷା କ୍ଷେତ୍ରରେ ଦେଖାଯାଇଥିବା ପରିବର୍ତ୍ତିତ କ୍ରମଃବିକାଶକୁ ଦେଖିଲେ ଏହା ସ୍ପଷ୍ଟ ଯେ, ପିଓକେ ଅଧିବାସୀ ଭାରତର ଅଂଶ ହେବାକୁ ଚାହାନ୍ତି ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

ଜାତୀୟ ଖବର ସରବରାହ ସଂସ୍ଥା ‘ପିଟିଆଇ’କୁ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ରାଜନାଥ କହିଛନ୍ତି ଯେ, ବର୍ତ୍ତମାନ ଜମ୍ମୁ-କାଶ୍ମୀରରେ ପୂର୍ବ ସ୍ଥିତିରେ ଯଥେଷ୍ଟ ଉନ୍ନତି ହୋଇଛି । ସେଠାରେ ଏବେ ସ୍ଥିରତା ଫେରୁଛି । ଭାରତ ସପକ୍ଷରେ ଜନମତ ମଧ୍ୟ ବଢିବାରେ ଲାଗିଛି । ଖୁବଶୀଘ୍ର ଜମ୍ମୁ କାଶ୍ମୀରରେ ସଶସ୍ତ୍ର ବଳ ସ୍ବତନ୍ତ୍ର କ୍ଷମତା ଆଇନ (AFSPA) ବଳବତ୍ତର ରଖିବାର ଆବଶ୍ୟକତା ରହିବ ନାହିଁ । ଏହାକୁ ପ୍ରତ୍ୟାହାର କରାଯିବ । ଏହି ପ୍ରକ୍ରିୟାଗତ ବିଷୟ ଏବେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧୀନରେ ବିଚାରାଧୀନ ରହିଛି । ସଠିକ ସମୟରେ ଏ ସମ୍ପର୍କରେ ପ୍ରଭାବୀ ନିଷ୍ପତ୍ତି ମଧ୍ୟ ଗ୍ରହଣ କରାଯିବ । କାଶ୍ମୀରରେ ନିର୍ବାଚନ ନିଶ୍ଚିତ ହେବ ଓ ପାକ ଅଧିକୃତ କାଶ୍ମୀର ମଧ୍ୟ ଭାରତରେ ବିଲୟ ହେବ ।

ରାଜନାଥ କହିଛନ୍ତି, ‘‘ଏହି ପ୍ରକ୍ରିୟା ପାଇଁ ଭାରତକୁ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିବ ନାହିଁ । ସେଠାରେ ଏବେ ଯେଉଁ ଅର୍ଥନୈତିକ ଉନ୍ନତି ହେଉଛି, ସେଠାକାର ସ୍ଥାନୀୟ ଲୋକେ ମଧ୍ୟ ଭାରତରେ ମିଶିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ସେତେବେଳେ ସେମାନେ ନିଜେ ଭାରତରେ ବିଲୟ ହେବା ପାଇଁ ଦାବି ଉଠାଇବେ । ପାକ ଅଧିକୃତ କାଶ୍ମୀର ପାକିସ୍ତାନର ବଳପୂର୍ବକ ଦଖଲ ଅଞ୍ଚଳ । ଏହି ଭୂଖଣ୍ଡ ପୂର୍ବୁର ମଧ୍ୟ ଭାରତର ଅବିଚ୍ଛେଦ୍ୟ ଅଂଶ ଥିଲା ଓ ଏବେ ମଧ୍ୟ ରହିଛି । ଭାରତ କେବେ ମଧ୍ୟ ନିଜର ଏହି ଆଭିମୁଖ୍ୟରେ ପରିବର୍ତ୍ତନ କରିପାରିବ ନାହିଁ ।’’

ଏହା ମଧ୍ୟ ପଢନ୍ତୁ :- ‘ଟିକା ନେଇଥିବା ଯୁବଗୋଷ୍ଠୀ ଏବେ ହୃଦଘାତର ଶିକାର ହେଉଛନ୍ତି’ - Priyanka On Vaccines

ଏଠାରେ ଉଲ୍ଲେଖଯୋଗ୍ୟ ଯେ, 2019 ରେ ଧାରା-370 ଓ ରାଜ୍ୟପାହ୍ୟା ଉଚ୍ଛେଦ ହେବା ପରେ ଜମ୍ମୁ-କାଶ୍ମୀର ଏବେ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ ହୋଇଛି । ସେଠାରେ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ମଧ୍ୟ ଶେଷ ହୋଇସାରିଛି । ଏଥିରେ ପାକ୍ ଅଧିକୃତ କାଶ୍ମୀର ପାଇଁ ଆସନ ସଂରକ୍ଷିତ ରଖାଯାଇଛି । ତେଣୁ ଭାରତ ସରକାର ସେଠାରେ ମଧ୍ୟ ନିର୍ବାଚନ କରାଇବା ପାଇଁ ଯୋଜନା ରଖିଥିବା ପ୍ରାୟତଃ ସ୍ପଷ୍ଟ ଦୃଶ୍ୟମାନ ହେଉଛି । ଅବିଭକ୍ତ କାଶ୍ମୀରବାସୀ ଚଳିତଥର ସାଧାରଣ ନିର୍ବାଚନରେ ମତଦାନ ମଧ୍ୟ କରୁଛନ୍ତି । ଖୁବଶୀଘ୍ର ସେଠାରେ ବିଧାନସଭା ନିର୍ବାଚନ ହେବା ନେଇ ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ମଧ୍ୟ ସୂଚନା ଦେଇସାରିଛନ୍ତି । ଏବେ ତୁଷାରପାତ ଓ ସୁରକ୍ଷା ସମ୍ପର୍କିତ କିଛି ଆହ୍ବାନ ଥିବା କାରଣରୁ ଲୋକସଭା ନିର୍ବାଚନ ସହ ବିଧାନସଭା ନିର୍ବାଚନ ସମ୍ଭବପର ହେଲା ନାହିଁ ବୋଲି ମୁଖ୍ୟ ନିର୍ବାଚନ ଆୟୁକ୍ତ ସ୍ପଷ୍ଟ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details