ନୂଆଦିଲ୍ଲୀ:ପତଞ୍ଜଳି ଆର୍ୟୁବେଦ କମ୍ପାନୀର ଭ୍ରମାତ୍ମକ ବିଜ୍ଞାପନ ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହୋଇଛି । ସଂସ୍ଥା ମୁଖ୍ୟ ଯୋଗଗୁରୁ ରାମଦେବ ଓ ଆଚାର୍ଯ୍ୟ ବାଳକୃଷ୍ଣ ମଧ୍ୟ କୋର୍ଟରେ ହାଜର ହୋଇସାରିଛନ୍ତି । ଏହା ପୂର୍ବରୁ ସଂସ୍ଥା ଏକ ସାର୍ବଜନୀନ କ୍ଷମାପ୍ରାର୍ଥନା କରିଛି । ଏହି କ୍ଷମାପ୍ରର୍ଥନା ଜାତୀୟ ସମ୍ବାଦପତ୍ରରେ ପ୍ରକାଶିତ ହୋଇଛି । କମ୍ପାନୀର ବିଭିନ୍ନ ଉତ୍ପାଦ ସମ୍ପର୍କରେ ଏହି ଭ୍ରମାତ୍ମକ ବିଜ୍ଞାପନ ଦିଆଯାଇଥିବା ଅଭିଯୋଗ ହୋଇଥିଲା । ପୂର୍ବରୁ ମଧ୍ୟ କୋର୍ଟ ଏହି ମାମଲାର ଶୁଣାଣି କରି ରାମଦେବ ଓ ବାଳକୃଷ୍ଣଙ୍କୁ ସମାଲୋଚନା କରିସାରିଛନ୍ତି । ଆଜିର ଶୁଣାଣି ଓ କୋର୍ଟଙ୍କ ନିର୍ଦ୍ଦେଶ ଉପରେ ସମଗ୍ର ନଜର ରହିଛି ।
ସଂସ୍ଥା ଦ୍ବାରା ଜାରି କରାଯାଇଥିବା ଏହି ସାର୍ବଜନୀନ କ୍ଷମାପ୍ରାର୍ଥନା କିଛି ଜାତୀୟ ଖବର କାଗଜରେ ପ୍ରକାଶିତ କରାଯାଇଛି । ତେବେ ରାମଦେବ ନିଜ ଓକିଲଙ୍କ ଜରିଆରେ ସର୍ବୋଚ୍ଚ କୋର୍ଟରେ ଉତ୍ତର ରଖିବା ପରେ ମଧ୍ୟ ବିଭିନ୍ନ ସଂସ୍ଥାରେ ପତଞ୍ଜଳି ବିଜ୍ଞାପନ ପ୍ରକାଶ ହେବା କାରଣରୁ କୋର୍ଟ ଉଦବେଗ ପ୍ରକାଶ କରିଥିଲେ । ଏହି ସମ୍ପର୍କରେ ସାର୍ବଜନୀନ କ୍ଷମାପ୍ରାର୍ଥନାରେ ସଂସ୍ଥା କହିଛି ଯେ, ‘‘ଆମେ କୋର୍ଟଙ୍କ ନିର୍ଦ୍ଦେଶ ଓ ଗାରିମା ବଜାୟ ରଖିବା ପାଇଁ ପୁରା ପ୍ରତିବଦ୍ଧ । ଆମ ଓକିଲଙ୍କ ମାଧ୍ୟମରେ କୋର୍ଟଙ୍କ ନିକଟରେ ଉତ୍ତର ରଖିବା ପରେ ମଧ୍ୟ ବିଜ୍ଞାପନ ପ୍ରକାଶିତ କରିବା ଓ ପ୍ରେସମିଟ କରିବା ପାଇଁ ଆମେ କ୍ଷମା ପ୍ରାର୍ଥନା କରୁଛୁ । ଏପରି କାର୍ଯ୍ୟକଳାପ ସମ୍ପର୍କରେ ଆମେ ଆଗକୁ ଯତ୍ନବାନ ହେବୁ ।’’