ମୁମ୍ବାଇ:ନିଜ ପ୍ରିୟ ନେତ୍ରୀଙ୍କ ପରାଜୟ ସହିପାରିଲେନି ସମର୍ଥକ । ଶେଷରେ ହାରିଲେ ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ରରେ । ତେବେ ପଙ୍କଜା ମୁଣ୍ଡେଙ୍କ ପରାଜୟକୁ ନେଇ ସମର୍ଥକ ଦୁଃଖରେ ଭାଙ୍ଗି ପଡ଼ି ଶେଷରେ ଜୀବନ ହାରିଥିବା କୁହାଯାଉଛି । ମହାରାଷ୍ଟ୍ର ବିଡ୍ ଜିଲ୍ଲାର ବିଜେପି କାର୍ଯ୍ୟକର୍ତ୍ତାମାନେ ଜଣକ ପରେ ଜଣେ ଜୀବନ ହାରିବା ଘଟଣା ସାମନାକୁ ଆସିଛି । ବର୍ତ୍ତମାନସୁଦ୍ଧା ୪ ଜଣ ଜୀବନ ହାରିଥିବା ଖବର ଆସିଛି ।
ଗତକାଲି (ରବିବାର) ବିଡ୍ ଜିଲ୍ଲାରେ ମୃତକଙ୍କ ପରିବାରକୁ ଫେଟିଛନ୍ତି ପଙ୍କଜା । ଏହାସହ ମୃତକଙ୍କ ପରିବାରୁ ସମବେଦନା ଜଣାଇଛନ୍ତି । ଏହାପୂର୍ବରୁ ଗତ ୭ ତାରିଖରେ ଲାତୁର ଅଞ୍ଚଳର ଜଣେ ସମର୍ଥକ ଜୀବନ ହାରିଥିଲେ । ସେହିପରି ଗତ ୯ ତାରିଖରେ ପାଣ୍ଡୁରଙ୍ଗ ସୋନୱଣେ ନାମକ ଜଣେ ବ୍ୟକ୍ତି ଜାବନ ହାରିଥିଲେ । ଯିଏ କି ମୃତ୍ୟୁ ପୂର୍ବରୁ ପଙ୍କଜା ମୁଣ୍ଡେଙ୍କ ପରାଜୟ କଥା କହି ଦୁଃଖ ପ୍ରକାଶ କରିଥିଲେ । ସେପଟେ ଏସବୁ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପଙ୍କଜା । ସେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଆଉ ନିଜ ସେ ସମର୍ଥକଙ୍କୁ ଅପିଲ କରି ଭିଡି ଜାରି କରିଛନ୍ତି । ପଙ୍କଜା କହିଛନ୍ତି, ଦୟା କରି କେହି ନିଜର ମୂଲ୍ୟବାନ ଜୀବନ ନଷ୍ଟ କରନ୍ତୁ ନାହିଁ । ସ୍ବର୍ଗତ ଗୋପୀନାଥ ମୁଣ୍ଡେ ହୁଅନ୍ତୁ ବା ମୁଁ ଆମେ କେବେବି ରାଜନୀତି ପାଇଁ କେବେ କେଉଁ ବ୍ୟକ୍ତିଙ୍କୁ ବ୍ୟବହାର କରିନାହୁଁ । ସମର୍ଥକଙ୍କ ଏଭଳି ଜୀବନ ହାରିବା ଘଟଣା ଶୁଣିବା ପରେ ମୋତେ ଝଟକା ଲାଗିଛି । ମୁଁ ଗଭୀର ଭାବେ ମର୍ମାହତ । ରାଜନୀତିରେ ହାର୍ ଜିତ୍ ଲାଗି ରହିଛି । ଏହାକୁ ନେଇ ଦୟା କରି କେହି ଜୀବନ ହାରନ୍ତୁ ନାହିଁ ।"