ନୂଆଦିଲ୍ଲୀ:ଆଜି ଜମ୍ମୁ-କାଶ୍ମୀରରେ ଶପଥ ଗ୍ରହଣ କରିବ ଓମାର ଅବଦୁଲ୍ଲା ସରକାର । ମୁଖ୍ୟମନ୍ତ୍ରୀ ଭାବେ ‘ଏନସି’ ଉପାଧ୍ୟକ୍ଷ ଓମାର ଓବଦୁଲ୍ଲା ଶପଥ ଗ୍ରହଣ କରିବେ । ମାତ୍ର ଏହାରି ମଧ୍ୟରେ ଏକ ବଡ ଅପଡେଟ୍ ସାମ୍ନାକୁ ଆସିଛି । ଓମାର କ୍ୟାବିନେଟରେ କଂଗ୍ରେସକୁ ସ୍ଥାନ ନମିଳିପାରେ । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କଂଗ୍ରେସର କୌଣସି ବିଧାୟକ ସରକାରରେ ମନ୍ତ୍ରୀ ହେବେ ନାହିଁ, ମାତ୍ର ଦଳ (କଂଗ୍ରେସ) ବାହାରୁ ‘ଏନସି’କୁ ସମର୍ଥନ ଜାରି ରଖିବ ।
ତେବେ ଏପରି ନଷ୍ପତ୍ତି ସମ୍ପର୍କରେ ଉଭୟ ଦଳ କିଛି ପ୍ରକାଶ କରିନାହାନ୍ତି । ମାତ୍ର ଶପଥ ଗ୍ରହଣ ସମାରୋହର ମାତ୍ର କିଛି ଘଣ୍ଟା ପୂର୍ବରୁ ସୂତ୍ରରୁ ଏହି ସୂଚନା ମିଳିଛି । ଆଜି ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ କଂଗ୍ରେସ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ ଓ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅଂଶଗ୍ରହଣ କରୁଛନ୍ତି ।
- ବାହାରୁ ସମର୍ଥନ ଦେବ କଂଗ୍ରେସ, ସରକାର ଚଳାଇବ ‘ଏନସି’
ଦୀର୍ଘ ୧୦ ବର୍ଷ ପରେ ହୋଇଥିବା ନିର୍ବାଚନରେ କଂଗ୍ରେସ ଓ ଏନସି ଏକାଠି ନିର୍ବାଚନ ଲଢିଥିଲେ । ‘ଏନସି’ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଥିବା ବେଳେ କଂଗ୍ରେସର ପ୍ରଦର୍ଶନ ଚର୍ଚ୍ଚା ଅନୁସାରେ,ନୈରାଶ୍ୟଜନକ ଥିଲା । ଜମ୍ମୁ-କାଶ୍ମୀରରେ ବିଧାନସଭା ମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣର ନୂଆ ସମୀକରଣ ଅନୁସାରେ ୯୦ରୁ ୪୫ ଆସନ ସଂଖ୍ୟା ଗରିଷ୍ଠତା ପାଇଁ ଆବଶ୍ୟକ । ଓମାରଙ୍କ ‘ଏନସି’ ୪୨ ଆସନରେ ଜିତି ଏକକ ସଂଖ୍ୟାଗରିଷ୍ଠତା ଠାରୁ ସାମାନ୍ୟ ପଛରେ ରହିଛି ।
- କଂଗ୍ରେସକୁ ଜିତିଛି ୬ ଆସନ
‘ଏନସି’ ସହ ଏକାଠି ନିର୍ବାଚନ ଲଢିଥିବା କଂଗ୍ରେସ ୬ଟି ଆସନ ଜିତିଛି । ତେଣୁ ସରକାର ଗଠନ କରିବା ଦିଗରେ କଂଗ୍ରେସର ସହଯୋଗ ଏନସି ପାଇଁ ନିହାତି ଆବଶ୍ୟକ । ତେବେ କଂଗ୍ରେସ ସରକାରରୁ ବାହାରେ ରହିବା କାରଣ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ଦିଗ ମଧ୍ୟ ସାମ୍ନାକୁ ଆସିନି । କିନ୍ତୁ କଂଗ୍ରେସ ସମର୍ଥନରେ ଓମାର ଆଜି ଶପଶ ଗ୍ରହଣ କରିବା ଏକପ୍ରକାର ସ୍ପଷ୍ଟ ।