ନୂଆଦିଲ୍ଲୀ:ଭାରତୀୟ ମହିଳା ରେସଲର ଭିନେଶ ଫୋଗତ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷଣା ହେବା ପ୍ରସଙ୍ଗ ସଂସଦ ଅଧିବେଶନକୁ ସରଗରମ କରିଛି । ବିରୋଧୀ ‘ଇଣ୍ଡିଆ’ ମେଣ୍ଟର ସଦସ୍ୟମାନେ ଏହି ପ୍ରସଙ୍ଗରେ ରାଜ୍ୟସଭାରେ ଆଲୋଚନା ଦାବି କରିଥିଲେ । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ଆଲୋଚନା ପାଇଁ ଅନୁମତି ନଦେବାରୁ ସେମାନେ ପ୍ରତିବାଦ ସ୍ୱରୂପ କକ୍ଷତ୍ୟାଗ କରିଛନ୍ତି ।
- ଏହା ପଛରେ କିଏ ବୋଲି ପ୍ରଶ୍ନ କଲେ ବିରୋଧୀ :
ଆଜି ପୂର୍ବହ୍ନରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ରାଜ୍ୟସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏହି ପ୍ରସଙ୍ଗରେ ଆଲୋଚନା ଦାବି କରି ପ୍ରସ୍ତାବ ଆଗତ କରିଥିଲେ । ଏହା ପଛରେ କିଏ, ଏହା କିପରି ହେଲା ବୋଲି ଖଡଗେ ପ୍ରଶ୍ନ କରିଥିଲେ । ଏହାକୁ ଗୃହର ଅଧ୍ୟକ୍ଷ ଜଗଦୀପ ଧନଖଡ ଅଗ୍ରାହ୍ୟ କରିଦେଇଥିଲେ । ଫଳରେ ବିରୋଧୀ ସାଂସଦମାନେ ପ୍ରତିବାଦ ସ୍ୱରୂପ ନାରାବାଜି ଓ ହଟ୍ଟଗୋଳ କରିଥିଲେ । ଅଧ୍ୟକ୍ଷ ଧନଖଡ ସେମାନଙ୍କୁ ରୁଲିଂ ଦେବା ସହ କାର୍ଯ୍ୟାନୁଷ୍ଠାନର ଚେତାବନୀ ମଧ୍ୟ ଦେଇଥିଲେ । ପରେ ସେମାନେ କକ୍ଷ ତ୍ୟାଗ କରିଛନ୍ତି ।
- ଗତକାଲି ଅଯୋଗ୍ୟ ଘୋଷିତ ହୋଇଥିଲେ ଭିନେଶ:
ପ୍ୟାରିସ୍ ଅଲିମ୍ପିକ୍ସ-2024ରେ ଫାଇନାଲରେ ପହଞ୍ଚିଥିବା ମହିଳା କୁସ୍ତିଯୋଦ୍ଧା ଭିନେଶଙ୍କୁ ଗତକାଲି ଅପରାହ୍ନରେ ନାଟକୀୟ ଢଙ୍ଗରେ ଓଜନ ବୃଦ୍ଧି କାରଣରୁ ଅଯୋଗ୍ୟ ଘୋଷିତ କରାଯାଇଥିଲା । ଭିନେଶଙ୍କ ଦ୍ବାରା ସ୍ବର୍ଣ୍ଣ ପଦକ ଆଶାରେ ଥିବା କୋଟି କୋଟି ଭାରତୀୟଙ୍କୁ ଏହି ଖବର ସ୍ତବ୍ଦ କରିଦେଇଥିଲା । ନିର୍ଦ୍ଧାରିତ 50 କିଲୋଗ୍ରାମ ଓଜନରୁ ମାତ୍ର 100 ଗ୍ରାମ ଅଧିକ ଓଜନ ଥିବା ଦର୍ଶାଇ ତାଙ୍କୁ ଫାଇନାଲ ମୁକାବିଲା ପୂର୍ବରୁ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ କରାଯିବା ବିଭିନ୍ନ ତର୍କ ଓ ସନ୍ଦେହ ସୃଷ୍ଟି କରିଥିଲା ।