ଦିନକୁ ଦିନ ସାରା ବିଶ୍ବରେ ଦେଖାଯାଉଛି ନୂଆ ନୂଆ ଭାଇରସ୍ର ଆତଙ୍କ । କେତେବେଳେ କୋରୋନା, ନିପା, ଜିକା, ଓମିକ୍ରନ ତ ଆଉ କେତେବେଳେ ମଙ୍କିପକ୍ସ । ବର୍ତ୍ତମାନ ସମୟରେ ଏଭଳି ଆଉ ଏକ ଅଦୃଶ୍ୟ ଭାଇରସକୁ ନେଇ ଲୋକଙ୍କ ଚିନ୍ତା ବଢିଛି, ତାହା ହେଉଛି 'ଡିଙ୍ଗା ଡିଙ୍ଗା' । ଶୁଣିବାକୁ ଅଜବ ଲାଗୁଥିବା ଏହି ଭାଇରସ୍ ଏବେ ପୂର୍ବ ଆଫ୍ରିକୀୟ ଦେଶ ଉଗାଣ୍ଡାରେ ଆତଙ୍କ ଖେଳାଇଛି । ଉଗାଣ୍ଡାର ବଣ୍ଡିବୁଗ୍ୟୋ ଜିଲ୍ଲାରେ ବର୍ତ୍ତମାନ ପ୍ରାୟ 300 ଲୋକ ଡିଙ୍ଗା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଝିଅ ରହିଛନ୍ତି । ଏହି ରୋଗର ନାଁ ଭଳି ଏହାର ଲକ୍ଷଣ ଖୁବ୍ ଅଜବ । ସଂକ୍ରମିତ ଲୋକମାନେ ହଲି ହଲି ନାଚୁଥିବା ଭଳି ଦେଖାଯାଉଛନ୍ତି । ଯେଉଁଥିପାଇଁ ବୈଜ୍ଞାନିକମାନେ ଏହି ଭାଇରସର ନାମ ଡିଙ୍ଗା ଡିଙ୍ଗା ରଖିଛନ୍ତି ।
ମିଡିଆ ରିପୋର୍ଟ ଅନୁସାରେ, ଡିଙ୍ଗା ଡିଙ୍ଗା ଭାଇରସ ସଂକ୍ରମଣରେ ଏ ପର୍ଯ୍ୟନ୍ତ କାହାର ମୃତ୍ୟୁ ହୋଇନାହିଁ । ବର୍ତ୍ତମାନ ଆଣ୍ଟିବାୟୋଟିକ୍ସ ଦ୍ବାରା ଏହି ରୋଗର ଚିକିତ୍ସା କରାଯାଉଛି । ଏହାକୁ ରୋକିବାକୁ ଏବେ ପର୍ଯ୍ୟନ୍ତ କୌଣସି ଭ୍ୟାକ୍ସିନ ଆସିନାହିଁ । ଡିଙ୍ଗା ଡିଙ୍ଗା ରୋଗରେ ସାଧାରଣ ଲକ୍ଷଣ ହେଉଛି ଶରୀର ଜୋରରେ ଥରିବା । ଏହି ଥରିବା କାରଣରୁ ପୀଡିତ ବ୍ୟକ୍ତି ହଲି ହଲି ନାଚ କରିବା ଭଳି ଦେଖାଯାଆନ୍ତି । ଉଗାଣ୍ଡାର ବଣ୍ଡିବୁଗ୍ୟୋ ଜିଲ୍ଲାରେ ପ୍ରଥମ ଥର ଏହି ଭାଇରସ ଚିହ୍ନଟ ହୋଇଥିଲା । ଏହା ମୁଖ୍ୟତଃ ମହିଳାଙ୍କୁ ଆକ୍ରାନ୍ତ କରୁଥିବା ଦେଖାଯାଉଛି ।
ଡିଙ୍ଗା ଡିଙ୍ଗ ଭାଇରସ ଲକ୍ଷଣ:
ଡିଙ୍ଗା ଡିଙ୍ଗା ରୋଗ ହେଲେ ଜ୍ବର ହେବା ସହିତ ଶରୀର ଜୋରରେ କମ୍ପିବାକୁ ଲାଗେ । ଏହାଦ୍ବାରା ପୀଡିତ ବ୍ୟକ୍ତି ପକ୍ଷେ ଚାଲିବା ମଧ୍ୟ କଷ୍ଟକର ହୋଇପଡେ । ସେହିପରି ପ୍ରବଳ ଜ୍ବର ହୋଇଥାଏ । ଅତ୍ୟଧିକ ଦୁର୍ବଳ ଅନୁଭବ ହୁଏ । ଏପରିକି ରୋଗୀ ପାରିଲିସିସ୍ ବା ପକ୍ଷଘାତର ମଧ୍ୟ ଶିକାର ହୋଇଥାନ୍ତି ।
ଶରୀରରେ କମ୍ପନ: ଡିଙ୍ଗା ଡିଙ୍ଗା ଭାଇରସର ସବୁଠୁ ସାଧାରଣ ଲକ୍ଷଣ ହେଉଛି ଶରୀରରେ କମ୍ପନ ବା ଥରିବା । ରୋଗୀର ଶରୀର ଏତେ ଜୋରରେ ଥରିଥାଏ ଯେ, ସେମାନେ ହଲି ହଲି ନାଚୁଥିବା ଭଳି ଦେଖାଯାଆନ୍ତି ।
ପ୍ରବଳ ଜ୍ବର ହେବା: ଏହି ଭାଇରସରେ ସଂକ୍ରମିତ ବ୍ୟକ୍ତିଙ୍କୁ ପ୍ରବଳ ଜ୍ବର ହୋଇଥାଏ ।
ଅତ୍ୟଧିକ ଦୁର୍ବଳତା: ପ୍ରବଳ ଜ୍ବର ସହ ଶରୀର ଅତ୍ୟଧିକ ଦୁର୍ବଳ ଲାଗିଥାଏ ।
ପାରାଲିସିସ୍: ଡିଙ୍ଗା ଭାଇରସ ଆକ୍ରାନ୍ତ ଅନେକ ବ୍ୟକ୍ତି ଅତ୍ୟଧିକ ଦୁର୍ବଳତା ଯୋଗୁଁ ପାରାଲିସିସ୍ ଭଳି ଗତିହୀହନତା ଅନୁଭବ କରନ୍ତି । ଚାଲିବା ମଧ୍ୟ କଷ୍ଟକର ହୋଇପଡେ ।
ଏବେ ସୁଦ୍ଧା ବଣ୍ଡିବୁଗ୍ୟୋରେ ପ୍ରାୟ 300 ଲୋକେ ଡିଙ୍ଗା ଡିଙ୍ଗା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏ ପର୍ଯ୍ୟନ୍ତ କୌଣସି ମୃତ୍ୟୁ ରିପୋର୍ଟ ହୋଇନାହିଁ । ତେବେ ଉପଯୁକ୍ତ ଚିକିତ୍ସା ଦ୍ବାରା ସଂକ୍ରମିତ ସପ୍ତାହକରେ ଭଲ ହୋଇଯାଉଛନ୍ତି । ବର୍ତ୍ତମାନ ସ୍ବାସ୍ଥ୍ୟ ବିଶେଷଜ୍ଞ ଏହି ରୋଗ ସମ୍ପର୍କରେ ଅଧିକ ଅନୁଧ୍ୟାନ କରୁଛନ୍ତି । ସଂକ୍ରମିତଙ୍କ ନମୂନା ସଂଗ୍ରହ କରାଯାଇ ଉଗାଣ୍ଡା ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ ପଠାଯାଇଛି ।
ସେଠାକାର ଜଣେ ସ୍ଥାନୀୟ ସ୍ବାସ୍ଥ୍ୟ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି, ଏହି ରୋଗ ଭଲ ହେବାକୁ ସପ୍ତାହେ ଲାଗୁଛି । ଅଧିକାଂଶ ରୋଗୀ ଗୋଟିଏ ସପ୍ତାହରେ ସୁସ୍ଥ ହୋଇଯାଉଛନ୍ତି । ତେବେ ସଂକ୍ରମିତମାନେ କୌଣସି ହର୍ବାଲ ବା ଘରୋଇ ଉପଚାର ନକରି ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେବାକୁ ସେ ନିବେଦନ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ: କାହିଁକି ହୁଏ ବ୍ରେନ ଟ୍ୟୁମର, ଜାଣନ୍ତୁ ଏହାର ଲକ୍ଷଣ ଓ ନିରାକରଣ - BRAIN TUMOR
ଏହା ମଧ୍ୟ ପଢନ୍ତୁ: କିୱି ଖାଇବାର 5 ଫାଇଦା, କୋଷ୍ଠକାଠିନ୍ୟରୁ ହୃଦରୋଗ ଯାଏ... - KIWI HEALTH BENEFITS