ନୂଆଦିଲ୍ଲୀ: ବହୁଚର୍ଚ୍ଚିତଜମି ଘୋଟାଲା ମାମଲାରେ କେନ୍ଦ୍ରୀୟ ସଂସ୍ଥା ଦ୍ବାରା ଗିରଫ ହୋଇ ଜେଲରେ ଥିବା ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଆଜି ସୁପ୍ରିମକୋର୍ଟରୁ ଆଉ ଏକ ବଡ ଝଟକା ଲାଗିଛି । ନିର୍ବାଚନୀ ପ୍ରଚାରରେ ସାମିଲ ହେବା ପାଇଁ ହେମନ୍ତ କରିଥିବା ଅନ୍ତରୀଣ ବେଲ ଆବେଦନକୁ କୋର୍ଟ ଅନୁମତି ଦେଇନାହାନ୍ତି । ଏବେ ସାଧାରଣ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି । ଝାଡଖଣ୍ଡରେ କ୍ଷମତାରେ ଥିବା ‘ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା’(ଜେଏମଏମ)ର କାର୍ଯ୍ୟକାରୀ ସଭାପତି ଦାୟିତ୍ବରେ ରହିଛନ୍ତି ହେମନ୍ତ । ତେଣୁ ସେ ଦଳ ପାଇଁ ନିର୍ବାଚନୀ ପ୍ରଚାର କରିବା ପାଇଁ ବେଲ ଦେବାକୁ ଆବେଦନରେ ଦର୍ଶାଇଥିଲେ । ଏହା ସହ ସେ ନିକଟରେ ବେଲରେ ମୁକ୍ତ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଉଦାହରଣ ମଧ୍ୟ କୋର୍ଟଙ୍କ ସମ୍ମୁଖରେ ରଖିଥିଲେ । ହେଲେ ତମାମ ତର୍କ ପରେ ସୁଦ୍ଧା କୋର୍ଟ ଏହାକୁ ଗ୍ରହଣ କରିନାହାନ୍ତି । ଏବେ ନିର୍ବାଚନୀ ପ୍ରଚାର କରାଣରୁ ପାଇଁ ଅନ୍ତରୀଣ ଜାମିନ ମିଳିପାରିବ ନାହିଁ ବୋଲି କୋର୍ଟ କହିଛନ୍ତି ।
ପୂର୍ବରୁ ଏହି ମାମଲା ସହ ହେମନ୍ତ ଝାଡଖଣ୍ଡ ହାଇକୋର୍ଟରେ ମଧ୍ୟ ଦ୍ବାରସ୍ଥ ହୋଇଥିଲେ । ଚଳିତମାସ 3 ତାରିଖରେ ଏହି ମାମଲାର ଶୁଣାଣି କରି ଝାଡଖଣ୍ଡ ହାଇକୋର୍ଟ ଏହି ମାମଲାକୁ ଖାରଜ କରିଦେଇଥିଲେ । ଯାହାକୁ ସର୍ବୋଚ୍ଚକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ହେମନ୍ତ । ଆଜି ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠରେ ହୋଇଥିଲା । ହେମନ୍ତଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ଶିବଲ ଓ ଅରୁନଭ ଚୌଧୁରୀ ପକ୍ଷ ରଖିଥିଲେ । କୋର୍ଟ ଆଜି ଅନ୍ତରୀଣ ବେଲ ଦେବାକୁ ମନା କରିବା ସହ ମାମଲାର ପରବର୍ତ୍ତୀ ମେ’ 17 ତାରିଖକୁ ଧାର୍ଯ୍ୟ କରିଛନ୍ତି ।