ବେଙ୍ଗାଲୁରୁ:ଆସନ୍ତାକାଲି ଅଯୋଧ୍ୟାରେ ହେବାକୁ ଥିବା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ସାରା ଦେଶରେ ଉତ୍କଣ୍ଠା ପ୍ରକାଶ ପାଇଛି । ଏହି ଭବ୍ୟ କାର୍ଯ୍ୟକ୍ରମର ସାକ୍ଷୀ ହେବା ପାଇଁ ଉତ୍ତର ପ୍ରଦେଶ ସମେତ ଏକାଧିକ ରାଜ୍ୟ ଏକଦିବସୀୟ ଛୁଟି ଘୋଷଣା କରିଛନ୍ତି । ଏପରିକି କେନ୍ଦ୍ର ସରକାର ମଧ୍ୟ ଆସନ୍ତାକାଲି ଅର୍ଦ୍ଧଦିବସୀୟ ଛୁଟି ବା ହାଫଡେ’ ଘୋଷଣା କରିଛନ୍ତି । ହେଲେ କଂଗ୍ରେସ ଶାସିତ କର୍ଣ୍ଣାଟକରେ କୌଣସି ଛୁଟି ଘୋଷଣା କରାଯାଇନାହିଁ । ଆଜି ନିଜେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କାଲି ରାଜ୍ୟରେ କୌଣସି ଛୁଟି ଘୋଷଣା କରାଯାଇନି ବୋଲି ସ୍ପଷ୍ଟ କରିଛନ୍ତି ।
ଆଜି ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ । କାଲି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ରାଜ୍ୟରେ ଛୁଟି ଘୋଷଣା କରାଯିବ କି ବୋଲି ପ୍ରଶ୍ନରେ ସିଦ୍ଧରମୈୟା କହିଥିଲେ, ରାଜ୍ୟରେ କାଲି କୌଣସି ଛୁଟି ନାହିଁ । ସେ ଆସନ୍ତାକାଲି କର୍ଣ୍ଣାଟକର ମହାଦେବପୁରା ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ନିମନ୍ତ୍ରିତ ହୋଇଛନ୍ତି । ସେ କାଲି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ସେହିପରି ତାମିଲନାଡୁରେ ଷ୍ଟାଲିନ ସରକାର ଦ୍ବାରା ଅଯୋଧ୍ୟା ମହୋତ୍ସବର ସିଧାପ୍ରସାରଣ ଉପରେ ବ୍ୟାନ ଘୋଷଣା କରାଯିବା ନିଷ୍ପତ୍ତି ସମ୍ପର୍କରେ କୌଣସି ପ୍ରତିକ୍ରିୟା ରଖିବା ପାଇଁ ଉଚିତ ମନେ କରିନଥିଲେ । ଏହି ପ୍ରସଙ୍ଗକୁ ସିଦ୍ଧରମୈୟା ଏଡାଇ ଯାଇଥିବା ଦେଖିବାକୁ ମିଳିଥିଲା ।