ବେଙ୍ଗାଲୁରୁ:ହ୍ବାଇଟଫିଲ୍ଡ କାଫେ ବିସ୍ଫୋରଣ ମାମଲାରେ ସମ୍ପୃକ୍ତ ଜଣେ ମୁଖ୍ୟ ଅଭିଯୁକ୍ତକୁ ଧରିଲା NIA । ତିନି ରାଜ୍ୟର ଏକାଧିକ ସ୍ଥାନରେ ଚଢାଉ ପରେ ଆଜି ତାକୁ ତଦନ୍ତକାରୀ ସଂସ୍ଥା ଗିରଫ କରିବାରେ ସଫଳ ହୋଇଛି । ଆଜି ଜାତୀୟ ତଦନ୍ତକାରୀ ସଂସ୍ଥାର ଏକାଧିକ ଟିମ୍ କର୍ଣ୍ଣାଟକର 12ଟି ସ୍ଥାନ, ପଡୋଶୀ ରାଜ୍ୟ ତାମିଲନାଡୁର 5ଟି ସ୍ଥାନ ସମେତ ଉତ୍ତର ପ୍ରଦେଶର ଗୋଟିଏ ସ୍ଥାନରେ ଏକକାଳୀନ ଚଢାଉ କରିଥିଲା । ଆଜି ଗିରଫ ହେଇଥିବା ଅଭିଯୁକ୍ତର ନାମ ମୁଜାମ୍ମିଲ ସରିଫ ଓ ସେ ଏହି ବିସ୍ଫୋରଣର ଅନ୍ୟତମ ମୁଖ୍ୟ ଷଡଯନ୍ତ୍ରକାରୀ ବୋଲି ପ୍ରାଥମିକ ତଦନ୍ତ ପରେ ତଦନ୍ତକାରୀ ସଂସ୍ଥା ସ୍ପଷ୍ଟ କରିଛି ।
ମାର୍ଚ୍ଚ ପହିଲାରେ ବେଙ୍ଗାଲୁରୁର ହ୍ବାଇଟଫିଲ୍ଡ ଏରିଆରେ ଥିବା ଏକ ବ୍ୟସ୍ତବହୁଳ କାଫେରେ ଏହି ବିସ୍ଫୋରଣ ହୋଇଥିଲେ । ଆକ୍ରମଣକାରୀ ଓ ଆକ୍ରମଣ ସମୟର ଭିଡିଓ ମଧ୍ୟ କ୍ୟାମେରାରେ ଏକଦ ହୋଇଥିଲା । ପ୍ରଥମେ ବେଙ୍ଗାଲୁରୁ ପୋଲିସ ଓ ପରେ ଏହି ମାମଲାର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ହାତକୁ ଆସିଥିଲା । ଆକ୍ରମଣ କରିଥିବା ମୁଖ୍ୟ ଅଭିଯୁକ୍ତକୁ ତଦନ୍ତକାରୀ ସଂସ୍ଥା ଚିହ୍ନଟ କରିସାରିଛି । ତାର ନାମ ମୁସାବିର ସାଜିବ ହୁସେନ । ଏହି ଆକ୍ରମଣରେ ତାକୁ ସହଯୋଗ କରିଥିବା ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ହେଉଛି ଅବଦ୍ଦୁଲ ମଥିନ ତାହା । ଉଭୟଙ୍କୁ ଚିହ୍ନଟ କରାଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଗିରଫ କରାଯାଇ ପାରିନି । ଉଭୟ ଏବେ ଫେରାର ଥିବା ବେଳେ ସେମାନଙ୍କ ମୁଣ୍ଡରେ ଅର୍ଥରାଶି ଘୋଷଣା କରିଛି ଏନଆଇଏ । ଆଜି ଗିରଫ ହୋଇଥିବା ଅଭିଯୁକ୍ତ ମଧ୍ୟ ବିସ୍ଫୋରଣ ଘଟଣାର ଅନ୍ୟତମ ମୁଖ୍ୟ ଷଡଯନ୍ତ୍ରକାରୀ । ସେ ଏହାକୁ ରୂପ ଦେବା ପାଇଁ ମୁଖ୍ୟ ଅଭିଯୁକ୍ତକୁ ସହଯୋଗ କରିଥିଲା ।