କୋଲକାତା:ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ସନ୍ଦେଶଖାଲି ମହିଳା ବିରୋଧୀ ହିଂସା ଘଟଣା ତେଜିବାରେ ଲାଗିଛି । ଆଜି (ଶୁକ୍ରବାର) ପୁଣି ପୀଡ଼ିତ ମହିଳା ଅଭିଯୁକ୍ତ ଟିଏମସି ନେତା ଶାହାଜାହନ ଶେଖର ଗିରଫଦାରୀ ଦାବି କରି ରାଜରାସ୍ତାକୁ ଓହ୍ଲାଇବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଏହାପରେ ଆଜି ସନ୍ଦେଶଖାଲି ଗସ୍ତ କରିଛନ୍ତି ଜାତୀୟ ମାନବାଧିକାରୀ କମିଶନ (NHRC)ର ୬ ଜଣିଆ ଟିମ । ଏହି ଟିମ ସ୍ଥାନୀୟ ବାସିନ୍ଦାଙ୍କ ସହିତ ଘଟଣା ସମ୍ପର୍କରେ ଆଲୋଚନା କରି ତଥ୍ୟ ସଂଗ୍ରହ କରୁଛନ୍ତି ।
ଶାହାଜାହନ ଓ ତାଙ୍କର କିଛି ସହଯୋଗୀ ନିୟମିତ ମହିଳାଙ୍କୁ ନିର୍ଯାତନା ଅଭିଯୋଗ ବ୍ୟତୀତ ଏଠାରେ ମାନବାଧିକାରର ଉଲ୍ଲଙ୍ଘନ ହୋଇଥିବା ପୀଡ଼ିତ ମହିଳାମାନେ ଅଭିଯୋଗ କରିଛନ୍ତି । ଜାତୀୟ ମାନବ ଅଧିକାର ଆୟୋଗର ଏହି ସ୍ବତନ୍ତ୍ର ଟିମ ଶୁକ୍ରବାର ସନ୍ଦେଶଖାଲି ପହଞ୍ଚିବା ପରେ ବସିରହାଟ ପୋଲିସ ଏସପିଙ୍କ ସହିତ ଏକ ବୈଠକ କରିଥିଲା । ଏହି ବୈଠକରେ ପୋଲିସ ଘଟଣା ସମ୍ପର୍କରେ ଏହି ସ୍ବତନ୍ତ୍ର ଟିମକୁ ତଥ୍ୟ ଦେଇଥିଲା । ଏହାପରେ ଟିମ ସନ୍ଦେଶଖାଲିର ସରଦରପଡା ଗସ୍ତ କରି ସେଠାରେ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଥିଲା ।
ଏହା ବି ପଢନ୍ତୁ- ବଙ୍ଗ ରାସନ ବଣ୍ଟନ ହେରଫେର ମାମଲା; ଟିଏମସି ନେତା ଶାହାଜାହନଙ୍କୁ ଇଡିର ଚତୁର୍ଥ ସମନ
ଏହାପରେ କମିଶନ ଏହି ମାମଲା ସମ୍ପର୍କରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ଡିଜିପିଙ୍କୁ ନୋଟିସ ଜାରି କରିଛି । ସନ୍ଦେଶଖାଲିରୁ ଆସିଥିବା ହିଂସା ଓ ଯୌନ ନିର୍ଯାତନା ଅଭିଯୋଗ ସମ୍ବନ୍ଧରେ ୪ ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ଲାଗି କୁହାଯାଇଛି । ସେପଟେ ଆୟୋଗର ଏହି ସ୍ବତନ୍ତ୍ର ଟିମ ଏହି ଗସ୍ତ ପରେ ଏନଏଚଆରସି ଚେୟାରମ୍ୟାନଙ୍କୁ ଏକ ରିପୋର୍ଟ ପ୍ରଦାନ କରିବେ ବୋଲି ଜଣାପଡ଼ିଛି ।