ଓଡିଶା

odisha

ETV Bharat / bharat

ନିଟ୍‌ ବିବାଦ: ବିରୋଧୀଙ୍କ ଦାବି ପରେ ଗୃହର ଆଲୋଚନା ନେଇ କଣ କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ - Dharmendra Pradhan On NEET Issue - DHARMENDRA PRADHAN ON NEET ISSUE

Dharmendra Pradhan On NEET Issue: ନିଟ୍‌ ୟୁଜି ପରୀକ୍ଷା ବିଭ୍ରାଟକୁ ନେଇ ଗୃହରେ ହଙ୍ଗାମା ପରେ ଲୋକସଭା ସ୍ଥଗିତ । ଗୃହ ସ୍ଥଗିତ ହେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏପରି କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ

Dharmendra Pradhan
Dharmendra Pradhan (ANI)

By ETV Bharat Odisha Team

Published : Jun 28, 2024, 7:08 PM IST

ନୂଆଦିଲ୍ଲୀ: ନିଟ୍‌ ୟୁଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ଘଟଣା । ସରକାର ଏନେଇ ସମସ୍ତ ପ୍ରକାର ଆଲୋଚନା କରିବାକୁ ପ୍ରସ୍ତୁତ ବୋଲି କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମାତ୍ର ସବୁକିଛି ବ୍ୟବସ୍ଥିତ ଢଙ୍ଗରେ ହେବା ଉଚିତ ବୋଲି ଧର୍ମେନ୍ଦ୍ର କହିଛନ୍ତି । ନିଟ୍‌ ୟୁଜି ପରୀକ୍ଷା 2024 ବିଭ୍ରାଟକୁ ନେଇ ଗୃହରେ ଆଲୋଚନା ନେଇ ବିରୋଧୀ ଦାବି କରିଆସୁଛନ୍ତି । ଆଜି ଏହି ପ୍ରସଙ୍ଗରେ ଗୃହରେ ବିରୋଧୀଙ୍କ ହଙ୍ଗାମାରେ ଲୋକସଭା ବାଚସ୍ପତି ଗୃହକୁ ସ୍ଥଗିତ ରଖିଥିଲେ ।

ଏନେଇ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଧର୍ମେନ୍ଦ୍ର କହିଛନ୍ତି, "ଗୁରୁବାର ମିଳିତ ସଂସଦ ଅଧିବେଶନକୁ ସମ୍ବୋଧିତ କରି ଖୋଦ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ଅଭିଭାଷଣରେ ଏହି ପ୍ରସଙ୍ଗ ଉଠାଇଛନ୍ତି । ଏଥିରୁ ସ୍ପଷ୍ଟ ଯେ ସରକାର ଏଥିପ୍ରତି ସଚେତନ ଅଛନ୍ତି । ସରକାର ସର୍ବଦା ଦେଶର ଭବିଷ୍ୟତ କୁହାଯାଉଥିବା ଯୁବପିଢି, ଛାତ୍ରଛାତ୍ରୀଙ୍କ ଲାଗି ସଚେତନ ଅଛନ୍ତି । ଏହି ପ୍ରସଙ୍ଗରେ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଓ ସିବିଆଇ ଏହି କେଳେଙ୍କାରୀରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଏନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି । ମୁଁ ବିରୋଧୀଙ୍କୁ ଅନୁରୋଧ କରୁଛି ଯେ ରାଜନୀତିରୁ ବାହାରକୁ ଆସି ଏନେଇ ମତ ରଖନ୍ତୁ ।"

ଏହା ବି ପଢନ୍ତୁ- NEET ପେପର ଲିକ୍‌ ପ୍ରସଙ୍ଗରେ ବର୍ଷିଲେ ରାହୁଲ; କହିଲେ ମୋଦି ‘ୟୁକ୍ରେନ୍ ଯୁଦ୍ଧ’ ରୋକିଦେଲେ, ହେଲେ ପେପର ଲିକ୍‌ ନୁହେଁ

ଧର୍ମେନ୍ଦ୍ର ଆହୁରି କହିଛନ୍ତି ଯେ ଏହି ପ୍ରସଙ୍ଗରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଛଡ଼ାଯିବ ନାହିଁ । ଏପରିକି କେନ୍ଦ୍ର ସରକାର ଏନଟିଏ ମହାନିର୍ଦ୍ଦେଶକ (ଡିଜି) ସୁବୋଧ କୁମାରଙ୍କୁ ପଦରୁ ହଟାଯାଇଛି । ଏହା ସରକାରଙ୍କ ପ୍ରତିଶ୍ରୁତିକୁ ଦର୍ଶାଏ । ଏଣୁ ଛାତ୍ରଛାତ୍ରୀଙ୍କୁ ଦ୍ବନ୍ଦ୍ବରେ ନ ପକାଇବା ଲାଗି ସେ ବିରୋଧୀଙ୍କୁ ଅନୁରୋଧ କରିଛନ୍ତି । ଅନ୍ୟପଟେ ବିରୋଧୀ ଏନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । କଂଗ୍ରେସ ମୁଖ୍ୟ ତଥା ରାଜ୍ୟସଭା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, "ଧାରା 267 ଅନୁଯାୟୀ ଗୃହରେ ଏ ସମ୍ପର୍କରେ ଆଲୋଚନା କରାଯାଉ । ଏହାପରେ ଆମେ ଆମର ଦାବି ରଖିବୁ ।"

ଏହା ବି ପଢନ୍ତୁ- NEET-PG ପ୍ରବେଶିକା ପରୀକ୍ଷା ସ୍ଥଗିତ; NTA DG ପଦରୁ ହଟିଲେ ସୁବୋଧ କୁମାର, ତଦନ୍ତ କରିବ ସିବିଆଇ

ସୂଚନା ଥାଉ କି ନିଟ୍‌-ୟୁଜି ଓ ୟୁଜିସି ନେଟ୍‌ ପ୍ରଶ୍ନପତ୍ର ଲିକ୍‌ ଓ ପରୀକ୍ଷାଫଳ ବିଭ୍ରାଟ ପ୍ରସଙ୍ଗରେ ସିବିଆଇ ତଦନ୍ତ କରୁଛି । ଚଳିତମାସ ମେ’ 5 ତାରିଖରେ ହୋଇଥିବା NEET-UG ପରୀକ୍ଷାରେ ପ୍ରଶ୍ନପତ୍ର ଲିକ ଅଭିଯୋଗ ହୋଇଥିଲା । ପ୍ରାୟ 24 ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ 67ଜଣ ପରୀକ୍ଷାର୍ଥୀଙ୍କୁ ମୋଟ 720ରୁ ଶତପ୍ରତିଶତ ମାର୍କ ମିଳିଥିଲା । ଏହି ମାମଲା ଏବେ ସର୍ବୋଚ୍ଚ କୋର୍ଟରେ ବିଚାରାଧୀନ ଥିବା ବେଳେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ‘ସିବିଆଇ’ ମଧ୍ୟ ତଦନ୍ତ ଆରମ୍ଭ କରିସାରିଛି । ଏକାଧିକ ରାଜ୍ୟରେ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଛି ।

ABOUT THE AUTHOR

...view details