ନୂଆଦିଲ୍ଲୀ:ଲୋକସଭା ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ଦେଶରେ ରାଜ୍ୟସଭା ନିର୍ବାଚନର ସଦ୍ୟତମ ପର୍ଯ୍ୟାୟ ମଧ୍ୟ ଶେଷ ହୋଇଛି । ଏହି ପର୍ଯ୍ୟାୟରେ ମୋଟ 15 ରାଜ୍ୟରେ ଖାଲି ହୋଇଥିବା 56 ଆସନରେ ନିର୍ବାଚନ ହୋଇଥିଲା । ଏଥିରେ ଶାସକ ଦଳ ଭାରତୀୟ ଜନତା ପାର୍ଟି ପୂର୍ବାକଳନ ଠାରୁ ଅଧିକ ଆସନ ହାସଲ କରିଛି । ନିମ୍ନସଦନ ଲୋକସଭାରେ ବହୁମତ ଥିବା ‘ଏନଡିଏ’ ଏବେ ଉଚ୍ଚସଦନ ରାଜ୍ୟସଭାରେ ମଧ୍ୟ ସଂଖ୍ୟା ଗରିଷ୍ଠତାର ନିକଟତର ହୋଇଛି । ଶାସକ ମେଣ୍ଟ କେବଳ ସଂଖ୍ୟା ଗରିଷ୍ଠତା ଠାରୁ 3ଟି ଆସନରେ ପଛରେ ରହିଛି ।
ନିକଟରେ ଶେଷ ହୋଇଥିବା ନିର୍ବାଚନରେ 56 ଆସନ ମଧ୍ୟରୁ ବିଜେପି ଖାତାକୁ ମୋଟ 30 ଆସନ ଯାଇଛି । ଗୃହରେ ଏକାକୀ ବିଜେପିର ସଂଖ୍ୟା 97ରେ ପହଞ୍ଚିଥିବା ବେଳେ ଶାସକ ମେଣ୍ଟ ‘ଏନଡିଏ’ର ଆସନ ସଂଖ୍ୟା 118କୁ ବୃଦ୍ଧି ପାଇଛି । ଏବେ ରାଜ୍ୟସଭାରେ ମୋଟ 240 ସାଂସଦ ଥିବା ବେଳେ ସଂଖ୍ୟା ଗରିଷ୍ଠତା 121 ରହିଛି । ଶେଷତମ ନିର୍ବାଚନ ପରେ ‘ଏନଡିଏ’ ମେଣ୍ଟ ସଂଖ୍ୟା ଗରିଷ୍ଠତାର ମାତ୍ର 3ଟି ଆସନ ପଛରେ ରହିଛି ।
ତେବେ ଏହି ପର୍ଯ୍ୟାୟରେ ମୋଟ 56 ଆସନ ମଧ୍ୟରୁ 41 ଆସନରେ କୌଣସି ପ୍ରତିଦ୍ବନ୍ଦ୍ବିତା ନଥିବାରୁ ପ୍ରାର୍ଥୀମାନେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ । ଅନ୍ୟ 3 ରାଜ୍ୟର 15 ଆସନରେ ଭୋଟିଂ ହୋଇଥିଲା । ଏଥିରେ କ୍ରସଭୋଟିଂରେ ବିଜେପିକୁ ଲାଭ ମିଳିଛି । ନିଜ ଦଳ ନିକଟରେ ଥିବା ସଂଖ୍ୟାଠାରୁ ବିଜେପି ଅଧିକ ଆସନରେ ଜିତିଲା । ହିମାଚଳ ପ୍ରଦେଶରେ କଂଗ୍ରେସ ବିଧାୟକଙ୍କ କ୍ରସଭୋଟିଂ କାରଣରୁ ରାଜ୍ୟର ଏକମାତ୍ର ଆସନରେ ବିଜେପି ପ୍ରାର୍ଥୀ ବିଜୟୀ ହେଲେ । ସେହିପରି ସମାନ ଢଙ୍ଗରେ ଉତ୍ତର ପ୍ରଦେଶରେ ମଧ୍ୟ ସମାଜବାଦୀ ପାର୍ଟିର ବିଧାୟକଙ୍କ କ୍ରସଭୋଟିଂ କାରଣରୁ ସଂଖ୍ୟା ନଥାଇ ମଧ୍ଯ ଜଣେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।