ମୁମ୍ବାଇ:ମାୟାନଗରୀ ମୁମ୍ବାଇରେ ଭୟଙ୍କର ଧୂଳିଝଡରେ ହୋର୍ଡିଂ ଭୁଶୁଡିବା ଘଟଣା । ୧୪କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା । ପ୍ରବଳ ବର୍ଷା ଓ ଧୂଳିଝଡରେ ବିଶାଳ ହୋର୍ଡିଂଟି ଭାଙ୍ଗିଯାଇ ରାସ୍ତା ଆରପଟରେ ଏକ ପେଟ୍ରୋଲ ପମ୍ପ ଉପରେ ପଡିଯାଇଥିଲା । ଏହାତଳେ ୧୦୦ରୁ ଅଧିକ ଲୋକ ଚାପି ହୋଇ ରହିଥିବା ବେଳେ ପ୍ରଥମେ ୩ ଜଣଙ୍କ ମୃତ୍ୟୁ ଘଟିବାର ସୂଚନା ଆସିଥିଲା । ହେଲେ ଏହି ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ବଢି ଆଜି (ମଙ୍ଗଳବାର) ୧୪ରେ ପହଞ୍ଚିଛି । ଏଥିରେ ୭୪ ଜଣ ଆହତ ମଧ୍ୟ ହୋଇଛନ୍ତି । ଏନେଇ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ (BMC) ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନରେ ମୁମ୍ବାଇରେ ଭୟଙ୍କର ଧୂଳିଝଡ ସାଙ୍ଗକୁ ବର୍ଷା ହୋଇଥିଲା । ଏହାର ପ୍ରଭାବରେ ସହରର ଘାଟକୋପର ଅଞ୍ଚଳରେ ରାସ୍ତାକଡରେ ଥିବା ଲୁହାର ଏକ ବିଶାଳ ହୋର୍ଡିଂ ଭୁଶୁଡି ଯାଇ ପେଟ୍ରୋଲ ପମ୍ପ ଉପରେ ପଡିଥିଲା । ଅପରାହ୍ନ ପ୍ରାୟ ସାଢେ ୪ଟା ବେଳେ ଏହି ଅଘଟଣ ଘଟିଥିଲା । ହୋର୍ଡିଂ ତଳେ ଶତାଧିକ ଲୋକ ଦବି ଯାଇଥିଲେ । ଖବର ପାଇ ସଙ୍ଗେ ସଙ୍ଗେ ମ୍ୟୁନିସିପାଲ କର୍ପୋରେସନ ଅଧିକାରୀ ଏବଂ ଏନଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । କାଲି ରାତି ସାରା ଏହି ରେସ୍କ୍ୟୁ ଅପରେସନ ଜାରି ରଖିଥିଲା ଏନଡିଆରଏଫ ଟିମ୍ । ଏହି ଦୁର୍ଘଟଣାରେ ଏବେ ସୁଦ୍ଧା ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହୋର୍ଡିଂ ତଳୁ ଆହତ ଅବସ୍ଥାରେ ୭୪ ଜଣଙ୍କୁ ଉଦ୍ଧାର କରାଯାଇଛି । ସେଥିମଧ୍ୟରୁ ପ୍ରାୟ ୬୪ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।