ମୁମ୍ବାଇ: ଦିଲ୍ଲୀ ବିଶ୍ବବିଦ୍ୟାଳୟର ପୂର୍ବତନ ପ୍ରଫେସର ମାଓବାଦୀଙ୍କ ସହିତ ସମ୍ପୃକ୍ତି ମାମଲାରେ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ ଏକ ବଡ ନିଷ୍ପତ୍ତି ଶୁଣାଇଛନ୍ତି । ଦିଲ୍ଲୀ ବିଶ୍ବବିଦ୍ୟାଳୟର ପୂର୍ବତନ ପ୍ରଫେସର ଜିଏନ ସାଇବାବାଙ୍କ ସମେତ 5 ଜଣଙ୍କୁ ଏହି ମାମଲାରେ ନିର୍ଦ୍ଦୋଷରେ ଖଲାସ କରାଯାଇଛି । ଏହାସହ ମିଳିଥିବା ଆଜୀବନ କାରାଦଣ୍ଡକୁ ମଧ୍ୟ ରଦ୍ଦ କରିଛନ୍ତି କୋର୍ଟ । ଫଳରେ ଜିଏନ ସାଇବାବାଙ୍କୁ ବଡ ଆଶ୍ବସ୍ତି ମିଳିଛି ।
ଗତବର୍ଷ ସେପ୍ଟେମ୍ବର ମାସରେ ସଂରକ୍ଷିତ ରଖାଯାଇଥିଲା ନିଷ୍ପତ୍ତି: ଜଷ୍ଟିସ ବିନୟ ଜି ଜୋଶୀ ଏବଂ ଜଷ୍ଟିସ ବାଲ୍ମିକୀ ଏସ୍ ମେନେଜେସଙ୍କ ଖଣ୍ଡପୀଠ ଏହି ମାମଲାରେ ରାୟ ଶୁଣାଇଛନ୍ତି । ତେବେ ଗତବର୍ଷ ସେପ୍ଟେମ୍ବର ମାସରେ ଏହି ନିଷ୍ପତ୍ତିକୁ ସଂରକ୍ଷିତ ରଖିଥିଲେ କୋର୍ଟ ।
କଣ ରହିଥିଲା ମାମଲା: ଗତ ୨୦୧୪ ମସିହାରେ ନକ୍ସଲଙ୍କ ସହିତ ସମ୍ପୃକ୍ତି ଏବଂ ଭାରତ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ସାଇବାବାଙ୍କ ସହିତ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିଲା । ଜିଏନ୍ ସାଇବାବା, ହେମ ମିଶ୍ର, ମହେଶ ତିର୍କି ଏବଂ ପ୍ରଶାନ୍ତ ରହୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ସେହିପରି 2017 ମସିହାରେ ବିଜୟ ତିର୍କିକୁ ଏକ ସ୍ୱତନ୍ତ୍ର କୋର୍ଟ ଦ୍ୱାରା 10 ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା । ଏହି ଦଣ୍ଡାଦେଶକୁ ବିରୋଧ କରି ହାଇକୋର୍ଟରେ ଅଭିଯୁକ୍ତମାନେ ଆବେଦନ କରିଥିଲେ । ତେବେ ବର୍ତ୍ତମାନ ଜିଏନ୍ ସାଇବାବାଙ୍କ ସମେତ ହେମ ମିଶ୍ର, ମହେଶ ତିର୍କି, ବିଜୟ ତିର୍କି, ନାରାୟଣ ସଙ୍ଗଲିକର, ପ୍ରଶାନ୍ତ ରହୀ, ପାଣ୍ଡୁ ନୌରୋଟଙ୍କୁ ନିର୍ଦ୍ଦୋଷ ବୋଲି ଘୋଷଣା କରିଛନ୍ତି ବମ୍ବେ ହାଇକୋର୍ଟଙ୍କ ନାଗପୁର ବେଞ୍ଚ । ପ୍ରକାଶ ଥାଉ, ପାଣ୍ଡୁ ନୌରୋଟଙ୍କର ମୃତ୍ୟୁ ହୋଇସାରିଛି ।