ଶ୍ରୀନଗର:ଜମ୍ମୁ-କାଶ୍ମୀରରେ ଭୟଙ୍କର ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ୧୦୦୦ ଫୁଟ ଗଭୀର ଖାଇକୁ ଖସିପଡିଲା ଟ୍ୟାକ୍ସି । ଏହି ଦୁର୍ଘଟଣାରେ ଅତିକମରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ଆସିଛି । ଗତକାଲି(ଗୁରୁବାର) ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି । ଗାଡିଟି ଜମ୍ମୁର ଶ୍ରୀନଗର ଅଭିମୁଖେ ଯାଉଥିଲା । ରାମବନର ବ୍ୟାଟେରୀ ଚାଶମା ନିକଟରେ ଏହା ଭାରସାମ୍ୟ ଗଭୀର ଖାଇକୁ ଖସି ପଡିଥିଲା । ଖବର ପାଇ ସ୍ଥାନୀୟ ଅଧିକାରୀଙ୍କ ସମେତ ପୋଲିସ, କୁଇକ୍ ରେସପନ୍ସ ଟିମ୍ ଓ ଏସଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି । ଏବେ ସୁଦ୍ଧା ୧୦ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ଜଣେ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ, ଉକ୍ତ ଟ୍ୟାକ୍ସିଟି ବାହାରର କିଛି ଶ୍ରମିକମାନଙ୍କୁ ନେଇ ବିଳମ୍ବିତ ରାତିରେ ଶ୍ରୀନଗର ଆଡକୁ ଯାଉଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସନ୍ଦେହ କରାଯାଉଛି । ରାତି ପାଖାପାଖି ୧ଟା ୧୫ ସମୟରେ ଦୁର୍ଘଟଣା ଘଟିଛି । ଗାଡିରେ ଭାରସାମ୍ୟ ହରାଇ ୧୦୦୦ ଫୁଟ ଗଭୀର ଖାଇରେ ଖସି ପଡିଥିଲା । ତେବେ ଏଥିରେ କେତେ ଜଣ ଯାତ୍ରୀ ଥିଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନି । ଦୁର୍ଘଟଣାର ଖବର ମିଳିବା ସଙ୍ଗେ ସଙ୍ଗେ ପୋଲିସ, କୁଇକ୍ ରେସପନ୍ସ ଟିମ୍ ଓ ଏସଡିଆରଏଫ ଟିମ୍ ଉଦ୍ଧାର କାର୍ଯ୍ୟ ପାଇଁ ସେଠାରେ ପହଞ୍ଚିଥିଲେ । ମାତ୍ର ସେତେବେଳେ ବର୍ଷା ହେଉଥିବା ସହ ଅନ୍ଧାର ଯୋଗୁଁ ତତ୍କାଳ ରେସ୍କ୍ୟୁ ଅପରେସନ ଆରମ୍ଭ ହୋଇପାରିନଥିଲା ।