ମୁମ୍ବାଇ: ପରିବାରକୁ ପସନ୍ଦ ନଥିଲା ନାବାଳିକା ଝିଅର ପ୍ରେମ ସମ୍ପର୍କ । ନିଜ ପରିଚିତ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ ନାବାଳିକା । ହେଲେ ଏହାକୁ ଘୋର ବିରୋଧ କରିଥିଲେ ପରିବାର ଲୋକ । ପରିବାର ବିରୋଧ ସତ୍ତ୍ବେ ନିଜ ଜିଦରେ ଅଟଳ ରିହିଥିଲେ ନାବାଳିକା । ଭାଇର ରାଗ ମୁଣ୍ଡକୁ ଚଢ଼ିଗଲା, ନାବାଳିକା ଭଉଣୀ ଜୀବନ ଶେଷ କରିଦେଲା ନିଜ ଭାଇ । ପାହାଡ଼ ଉପରକୁ ଡାକି ନେଇ ୨୦୦ ଫୁଟ ଉଚ୍ଚରୁ ଧକ୍କା ଦେଇ ତଳକୁ ଠେଲିଦେଲା ଭାଇ । ମହାରାଷ୍ଟ୍ରରେ ଏଭଳି ଏକ ଅନର କିଲିଂ ମାମଲା ସମ୍ନାକୁ ଆସିଛି ।
ପ୍ରେମ ସମ୍ପର୍କକୁ ବିରୋଧ:
ସୂଚନା ଅନୁସାରେ, ମହାରାଷ୍ଟ୍ରର ଜାଲନା ଜିଲ୍ଲା ଅମ୍ବଡ ତାଲୁକା ଶାହଗଡ଼ର ଜଣେ ୧୭ ବର୍ଷିୟା ନାବାଳିକା ନିଜ ପରିଚିତ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ । ଏନେଇ ନାବାଳିକାଙ୍କ ପରିବାର ଲୋକ ଜାଣିବା ପରେ ଏହାକୁ ଘୋର ବିରୋଧ କରିଥିଲେ । ନାବାଳିକା ଓ ତାଙ୍କ ପ୍ରେମିକ ଉଭୟେ ଉଭୟଙ୍କ ଠାରୁ ଦୂରେଇ ରହିବା ପାଇଁ ପରିବାର ଲୋକ ଚେତାବନୀ ଦେଇଥିଲେ । କେବଳ ଏତିକି ନୁହେଁ ନାବଳିକାଙ୍କ ପରିବାର ଲୋକ ଯୁବକଙ୍କ ବିରୋଧରେ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । ଏହାସହ ପ୍ରେମ ସମ୍ପର୍କରୁ ଦୂରେଇ ରହିବା ପାଇଁ ନାବାଳିକା ଝିଅ ଉପରେ ଚାପ ପକାଇଥିଲେ ।
ଘରୁ ପଳାଇଥିଲେ ନାବାଳିକା:
ସେପଟେ ଯୁବକଙ୍କ ପରିବାର ତାଙ୍କ ପୁଅଠାରୁ ନାବାଳିକା ଜଣଙ୍କ ଦୂରେଇ ରହିବା ପାଇଁ ଚେତାବନୀ ଦେଇଥିଲେ । ଏହା ଭିତରେ ନାବାଳିକା ଜଣଙ୍କ ଘରୁ ପଳାଇଥିଲେ । ପରିବାର ଲୋକ ତାଙ୍କୁ ଖୋଜାଖୋଜି କରିବା ପରେ ମଧ୍ୟ ପାଇ ନଥିଲେ । ସେପଟେ ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ନାବାଳିକା ଜଣଙ୍କ ଶାହଗଡ଼ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଏହା ପରେ ୧୫ ଦିନ ପରେ ନାବାଳିକା ଜଣଙ୍କ ନିଜ ଘରକୁ ଫେରି ଆସିଥିଲେ ।