ହାଇଦ୍ରାବାଦ: ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି (ସୋମବାର) ମନ୍ତ୍ରିମଣ୍ଡଳର ବିଭାଗ ବଣ୍ଟନ କରାଯାଇଛି । ବର୍ତ୍ତମାନ ଲୋକସଭା ବାଚସ୍ପତି ପଦକୁ ନେଇ ଲାଗି ରହିଛି ଛକାପଞ୍ଝା । ବର୍ତ୍ତମାନ ବାଚସ୍ପତି ରେସରେ ଚର୍ଚ୍ଚାରେ ରହିଛି ଡି ପୁରନ୍ଦେଶ୍ବରୀଙ୍କ ନାଁ । ଆସନ୍ତୁ ଜାଣିବା ବାଚସ୍ପତି କିପରି ଚୟନ ହୁଅନ୍ତି ଏବଂ ତାଙ୍କର ପ୍ରମୁଖ ଭୂମିକା କ'ଣ?
ବାଚସ୍ପତି କିଏ ହୋଇପାରିବେ ?
ଲୋକସଭା ଅଧ୍ୟକ୍ଷ ବା ବାଚସ୍ପତି ପଦବୀଟି ଖୁବ ମହତ୍ତ୍ବପୂର୍ଣ୍ଣ । ସବୁଠୁ ବଡ଼ କଥା ହେଉଛି ଏହା ଏକ ନିର୍ବିବାଦୀୟ ଓ ନିରପେକ୍ଷ ପଦ । ବାଚସ୍ପତି ପ୍ରାର୍ଥୀ ଏପରି ଜଣେ ବ୍ୟକ୍ତିତ୍ବ ହେବା ଉଚିତ ଯିଏକି ଉଭୟ ଶାସକ ତଥା ବିରୋଧୀ ଦଳଙ୍କ ମଧ୍ୟରେ ଗ୍ରହଣୀୟ ହୋଇଥିବେ । ଶାସକ ଦଳ କିମ୍ବା ଏହାର ସହଯୋଗୀ ଦଳର ନିର୍ବାଚିତ ସଦସ୍ୟ ହିଁ ବାଚସ୍ପତି ପଦ ଅଳଙ୍କୃତ କରନ୍ତି ।
ବାଚସ୍ପତି ପଦର ଯୋଗ୍ୟତା:
୨୫ ବର୍ଷରୁ ଊର୍ଦ୍ଧ୍ବ ଓ ଭାରତର ନାଗରିକ ହୋଇଥିବେ । ଏହାସହ କୌଣସି ଭାରତ ସରକାରଙ୍କ ଅଧୀନରେ କୌଣସି ପଦ ପଦବୀରେ ନଥିବେ । ବାଚସ୍ପତିଙ୍କ କାର୍ଯ୍ୟକାଳ ୫ ବର୍ଷ ରହିଥାଏ ।
ବାଚସ୍ପତିଙ୍କ ପ୍ରମୁଖ ଭୂମିକା:
ଏହା ଏକ ଗୁରୁତ୍ବପୂର୍ଣ୍ଣ ପଦବୀ । କାରଣ ଅନେକ ମାମଲାରେ ଲୋକସଭା ବାଚସ୍ପତିଙ୍କ ନିର୍ଣ୍ଣୟ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରିଥାଏ। ଏହାସହ ଗୃହର ସଦସ୍ୟଙ୍କ ଯୋଗ୍ୟତା ଓ ଅଯୋଗ୍ୟତା ନିର୍ଣ୍ଣୟ କରିବାର ଅଧିକାର ମଧ୍ୟ କେବଳ ବାଚସ୍ପତିଙ୍କର ରହିଥାଏ । ଅନୁଶାସନ ସୁନିଶ୍ଚିତ କରାଇବାର ଗୁରୁ ଦାୟିତ୍ବ ବାଚସ୍ପତିଙ୍କର ରହିଥାଏ । କାର୍ଯ୍ୟସୂଚୀ କେତେବେଳେ ରଖାଯିବ, କେଉଁ ପ୍ରଶ୍ନ କେତେବେଳେ ପଚରାଯିବ ଏସବୁ ନିଷ୍ପତ୍ତି ବାଚସ୍ପତି ହିଁ ନେଇଥାନ୍ତି ।
ବିଲ୍ ପାସ ବେଳେ ବାଚସ୍ପତିଙ୍କ ଭୂମିକା:
ଭୋଟିଂ ସମୟରେ ବାଚସ୍ପତିଙ୍କ ଭୂମିକା ଆହୁରି ଅଧିକ ରହିଥାଏ । ଉଦାହରଣ ସ୍ବରୂପ, ଯଦି କୌଣସି ବିଲ୍ ଉପରେ ଭୋଟିଂ ହେଉଛି ଆଉ ଏହାର ବିପକ୍ଷ ଏବଂ ସପକ୍ଷରେ ସମାନ ଭୋଟ ମିଳିଛି । ଏଭଳି ସ୍ଥିତିରେ ଶେଷରେ ବାଚସ୍ପତି ନିଜର ଭୋଟ ଦିଅନ୍ତି । ଯାହାକି ନିର୍ଦ୍ଧାରଣ କରିଥାଏ ଯେ, ବିଲ୍ ପାସ ହେବ ନାହିଁ । ସମ୍ବିଧାନର ଧାରା ୧୦୦ ଅନୁସାରେ, ଅଧ୍ୟକ୍ଷ କୌଣସି ଭୋଟିଂ ପ୍ରକ୍ରିୟାରେ ଅଂଶ ଗ୍ରହଣ କରନ୍ତି ନାହିଁ । କିନ୍ତୁ ଯଦି କୌଣସି ବିଲରେ ସମାନ ସଂଖ୍ୟକ ଭୋଟିଂ ହୁଏ ଆଉ ଦ୍ବନ୍ଦ୍ବ ରୁହେ ସେଭଳି ସ୍ଥିତିରେ ବାଚସ୍ପତି ନିଜର ମତ ସାବ୍ୟସ୍ତ କରିପାରିବେ ।
ଗୃହ ନିୟନ୍ତ୍ରଣ କ୍ଷମତା:
ଗୃହର ନିୟମ ଉଲ୍ଲଙ୍ଘନ, ହଟ୍ଟଗୋଳ ତଥା ମର୍ଯ୍ୟାଦା ଭଙ୍ଗ କଲେ କାର୍ଯ୍ୟାନୁଷ୍ଠାନ ନେବାର କ୍ଷମତା ବାଚସ୍ପତିଙ୍କ ପାଖରେ ରହିଥାଏ । ଲୋକସଭାରେ ଯେକୌଣସି ପ୍ରସ୍ତାବ ଯେପରିକି ଗୃହ ମୁଲତବୀ ରଖିବା, ଅବିଶ୍ବାସ ପ୍ରସ୍ତାବ, ନିନ୍ଦା ପ୍ରସ୍ତାବ ଆଦି ପାରିତ କରିବାର କ୍ଷମତା ବାଚସ୍ପତିଙ୍କର ରହିଛି । ନବନିର୍ବାଚିତ ବାଚସ୍ପତିଙ୍କ ଦାୟିତ୍ବଗ୍ରହଣ ପୂର୍ବରୁ ପୂର୍ବତନ ବାଚସ୍ପତି କାମଚଳା ବାଚସ୍ପତି ଭାବେ ଦାୟିତ୍ବ ତୁଲାଇଥାନ୍ତି ।
ଏହା ବି ପଢନ୍ତୁ...ମୋଦି ସରକାରଙ୍କ ବିଭାଗ ବଣ୍ଟନ; କାହାକୁ ମିଳିଲା କେଉଁ ବିଭାଗ ? - Modi 3 0 Portfolio Allocation