ହାଇଦ୍ରାବାଦ:ଆସନ୍ତାକାଲି ସାଧାରଣ ନିର୍ବାଚନ ସହ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବାକୁ ଯାଉଛି । ‘ଇଭିଏମ’ରେ ସିଲ୍ ହୋଇଥିବା ଭୋଟ ଗଣତି ହେବ । ତେବେ ବୈଦ୍ୟୁତିକ ଭୋଟିଂ ମେସିନ ବା ‘ଇଭିଏମ’ରେ ଗଣତି ପୂର୍ବାପେକ୍ଷା ଅଧିକ ପ୍ରଭାବୀ ଓ କମ ସମୟରେ ଶେଷ ହୋଇପାରୁଛି । ଆପଣଙ୍କ ମନରେ ବି ଏ ପ୍ରଶ୍ନ ଆସୁଛି କି ? କିପରି ହୁଏ ଏହି ମେସିନରେ ଗଣତି । ଷ୍ଟ୍ରଙ୍ଗରୁମରେ କିପରି ମେସିନ ଓପନ କରାଯାଇ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଥାଏ । କେମିତି ହିସାବ ହୁଏ ଭୋଟ । ଜାଣନ୍ତୁ ଗଣତିର ସମ୍ପୂର୍ଣ୍ଣ ପ୍ରକ୍ରିୟା ସମ୍ପର୍କରେ ।
କେମିତି EVMରେ ହୁଏ ଭୋଟ ଗଣତି, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା (ETV Bharat Odisha) EVM କ’ଣ:ପୂର୍ବରୁ ଭାରତରେ ପାରମ୍ପରିକ ଭାବେ ବାଲାଟ ପେପରରେ ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହୋଇ ଆସୁଥିଲା । ଏହା ବେଶ ଜଟିଳ ଓ ସମୟସାପେକ୍ଷ ମଧ୍ୟ ଥିଲା । ଏହା ବିଭିନ୍ନ ସମୟରେ ପ୍ରଭାବିତ ହେବାର ଆଶଙ୍କା ମଧ୍ୟ ରହୁଥିଲା । ଭାରତରେ 2004 ମସିହାରେ ପ୍ରଥମଥର ବୈଦ୍ୟୁତିକ ଭୋଟିଂ ମେସିନ ବା (ଇଭିଏମ) ନିର୍ବାଚନୀ ପ୍ରକ୍ରିୟା ମଧ୍ୟକୁ ପ୍ରବେଶ କଲା । ଭାରତୀୟ ନିର୍ବାଚନ କମିଶନଙ୍କ ଅନୁମୋଦନ କ୍ରମେ ବେଙ୍ଗାଲୁରୁର ‘ଭାରତ ଇଲୋକ୍ଟ୍ରୋନିକ୍ସ’ ଓ ‘ହାଇଦ୍ରାବାଦର ଇଲୋକ୍ଟ୍ରୋନିକ୍ସ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ’ ପକ୍ଷରୁ ମିଳିତ ଭାବେ ଡିଜାଇନ କରାଯାଇଛି । ଏହା ଏକ ବ୍ୟାଟିରୀଚାଳିତ ମେସିନ । ଏହାକୁ ବ୍ୟବହାର କରିବା ପାଇଁ ସିଧା ବିଦ୍ୟୁତ ସଂଯୋଗର ଆବଶ୍ୟକତା ନାହିଁ, ବରଂ ଏହା ଚାର୍ଜିଂ ଡିଭାଇସ ପରି କାମ ପରେ । ଏଥିରେ ଇଣ୍ଟରନେଟର ସଂଯୋଗ ସୁବିଧା ମଧ୍ୟ ନାହିଁ ।
EVMରେ ଦୁଇଟି ୟୁନିଟ୍ ଥାଏ
ରାତି ପାହିଲେ ଜନାଦେଶ: କେମିତି EVMରେ ହୁଏ ଭୋଟ ଗଣତି, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା (ETV Bharat Odisha) କଣ୍ଟ୍ରୋଲ ୟୁନିଟ:-
ଏହି ୟୁନିଟଟି ନିର୍ବାଚନ କେନ୍ଦ୍ରର ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀଙ୍କ ଦ୍ବାରା ନିୟନ୍ତ୍ରିତ ହୋଇଥାଏ । ଏହା ଏହି ଡିଭାଇସର ମୁଖ୍ୟ ଯନ୍ତ୍ର । ଏହାକୁ କୌଣସି ଭୋଟର ବ୍ୟବହାର କରିପାରିବେ ନାହିଁ । ଏହି ୟୁନିଟଟି ଦ୍ବିତୀୟ ୟୁନିଟକୁ ପରିଚାଳନା କରେ । ବାଲାଟ ବଟନ ପ୍ରେସ କରିବା ପରେ ‘ଇଭିଏମ’ ମେସିନରେ ଗ୍ରୀନ-ଲାଇଟ ଅନ ହୋଇଥାଏ । ଏତିକି ବେଳେ ଜଣେ ଭୋଟର ନିଜ ଭୋଟ ଦେଇଥାନ୍ତି । ହେଲେ ଗୋଟିଏ ଭୋଟ ଦେବା ପରେ ଅପରେଟର (ବୁଲିଂ ଅଧିକାରୀ) କ୍ଲୋଜ ବଟନ ପ୍ରେସ କରନ୍ତି । ଫଳରେ ଜଣେ ବ୍ୟକ୍ତି ଗୋଟିଏ ଭୋଟ ଦେବା ପରେ ବୁଥରେ ଥିବା ‘ଇଭିଏମ’ ମେସିନଟି ପରବର୍ତ୍ତୀ ଭୋଟ ପର୍ଯ୍ୟନ୍ତ ବନ୍ଦ ରହେ । ସେହିପରି ଏହି ଡିଭାଇସରେ ଏକ କ୍ଲିୟର ବଟନ ସୁବିଧା ମଧ୍ୟ ରହିଛି । ଯାହା ଭୋଟିଂର ଡାଟାକୁ ସମ୍ପୂର୍ଣ୍ଣ ଅଦୃଶ୍ୟ ବା ଇରେଜ କରିପାରେ ।
ବାଲାଟ ୟୁନିଟ:
ଦ୍ବିତୀୟ ୟୁନିଟଟି ହେଉଛି ବାଲାଟ ୟୁନିଟ । ଏହାକୁ ବୁଥ ବା ମତଦାନ କେନ୍ଦ୍ରର ଭୋଟିଂ କମ୍ପାର୍ଟମେଣ୍ଟ ମଧ୍ୟରେ ରଖାଯାଇଥାଏ । ଏହାକୁ ସିଧାସଳଖ ଭୋଟରମାନେ ବ୍ୟବହାର କରି ନିଜ ମତାଧିକାର ସାବ୍ୟସ୍ତ କରନ୍ତି । ଏହି ମେସିନରେ ସମସ୍ତ ପ୍ରାର୍ଥୀଙ୍କ ନାମ ଓ ନିର୍ବାଚନୀ ସଙ୍କେତ ଥାଏ । ପ୍ରତ୍ୟେକ ପ୍ରାର୍ଥୀଙ୍କ ପାର୍ଶ୍ବବର୍ତ୍ତୀ ସ୍ଥାନରେ ଏକ ପ୍ରେସ ବଟନ ଥାଏ । ଏହାକୁ ପ୍ରେସ କରିବା ମାତ୍ରେ ଭୋଟ ପ୍ରାର୍ଥୀଙ୍କ ସପକ୍ଷରେ ଯାଇଥାଏ । ଗୋଟିଏ ଭୋଟ ଦାନ ପରେ ଏହି ମେସିନଟି ଅଫ ହୋଇଯାଏ ଓ ଏହାକୁ କଣ୍ଟ୍ରୋଲ ୟୁନିଟ ଜରିଆରେ ନିର୍ବାଚନୀ ଅଧିକାରୀ ଅନ ନକରିବା ପର୍ଯ୍ୟନ୍ତ ପରବର୍ତ୍ତୀ ଭୋଟର ଏହାକୁ ବ୍ୟବହାର କରିପାରିବେ ନାହିଁ ।
ମତଗଣନା ପର୍ଯ୍ୟବେକ୍ଷକ:
ନିର୍ବାଚନ କମିଶନଙ୍କ ଦ୍ବାରା ପ୍ରତ୍ୟେକ ସଂସଦୀୟ ଆସନରେ ଜଣେ ଲେଖାଏଁ ରିଟର୍ଣ୍ଣିଂ ଅଧିକାରୀ (ଆରଓ) ନିଯୁକ୍ତ ହୋଇଥାନ୍ତି । ପୁରା ସଂସଦୀୟ ଆସନର ଗଣତି ଦାୟିତ୍ବ ସେ ହିଁ ନିର୍ବାହ କରନ୍ତି । ଏହି ଦାୟିତ୍ବରେ ପ୍ରାୟ ଜିଲ୍ଲା ମାଜିଷ୍ଟ୍ରେଟ ହିଁ ଥାଆନ୍ତି । ଏହି ସଂସଦୀୟ ଆସନକୁ ବିଧାନସଭା ଆସନ ଅନୁସାରେ ବିଭକ୍ତ ମଧ୍ୟ କରାଯାଇଥାଏ । ସହକାରୀ ରିଟର୍ଣ୍ଣିଂ ଅଧିକାରୀମାନେ (ଆଆରଓ) ପ୍ରତ୍ୟେକ ବିଧାନସଭା ଆସନର ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ବରେ ଥାଆନ୍ତି ।
କେମିତି ହୁଏ ଗଣତି ପ୍ରକ୍ରିୟା:
ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ହୁଏ । ଏହାର ପ୍ରାୟ 30 ମିନିଟ ପରେ ‘ଇଭିଏମ’ କାଉଣ୍ଟିଂ ଆରମ୍ଭ ହୋଇଥାଏ । ଜିଲ୍ଲା ମୁଖ୍ୟାଳୟରେ ହୋଇଥିବା ଷ୍ଟ୍ରଙ୍ଗରୁମରେ ସମସ୍ତ ରାଜନୈତିକ ଦଳର ଅଧିକୃତ ପ୍ରତିନିଧିଙ୍କ ଉପସ୍ଥିତିରେ ଏହାର ସିଲ ଖୋଲାଯାଏ । କେବଳ ‘କଣ୍ଟ୍ରୋଲ ୟୁନିଟ’ ହିଁ ଗଣତି ପ୍ରକ୍ରିୟା ପାଇଁ ବ୍ୟବହୃତ ହୋଇଥାଏ । ଗୋଟିଏ ବିଧାନସଭା ଆସନରୁ ଆସିଥିବା ବିଭିନ୍ନ ଇଭିଏମର କଣ୍ଟ୍ରୋଲ ୟୁନିଟ ପାଇଁ 14ଟି ଗଣତି ଟେବୁଲ ବ୍ୟବସ୍ଥିତ ହୋଇଥାଏ । ଗଣତି ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ କଣ୍ଟ୍ରୋଲ ୟୁନିଟ ସମ୍ପୂର୍ଣ୍ଣ ସିଲ ଓ ସଠିକତାର ସହ କାମ କରୁଛି ବୋଲି ମଧ୍ୟ ନିଶ୍ଚିତ କରାଯାଇଥାଏ ।
ପ୍ରତ୍ୟେକ ରାଉଣ୍ଡରେ 14ଟି ଟେବୁଲରେ କେତେ ସଂଖ୍ୟକ ଭୋଟ ଗଣତି ହେଲା ତାହା ରେକର୍ଡ ହୁଏ ଓ ପରବର୍ତ୍ତୀ ରାଉଣ୍ଡ ଆରମ୍ଭ ହେବା ପୂର୍ବରୁ ଏହାକୁ ଘୋଷଣା ମଧ୍ୟ କରାଯାଏ । ପ୍ରତ୍ୟେକ ଟେବୁଲରେ ଜଣେ ଲେଖାଏଁ ମତଗଣନା ନିରୀକ୍ଷକ ବା ସୁପରଭାଇଜ ଓ ତାଙ୍କର ସହକାରୀ ଅଧିକାରୀ ଥାଆନ୍ତି । ଡିସପ୍ଲେ ବଟନ ପ୍ରେସ କରିବା ପରେ ମେସିନରେ ରେକର୍ଡ ହୋଇଥିବା ମୋଟ ଭୋଟ ସଂଖ୍ୟା ଓ କେଉଁ ଚିହ୍ନକୁ କେତେ ଭୋଟ ଯାଇଛି, ତାହା ଦେଖାଇଥାଏ । ଏହିପରି ଭାବେ ପର୍ଯ୍ୟାୟକ୍ରମିକ ଗଣନା ଓ ଘୋଷଣା ପ୍ରକ୍ରିୟା ଜାରି ରହେ । ଏହି ତଥ୍ୟ ଅନୁସାରେ, କେଉଁ ଆସନରେ କେଉଁ ପ୍ରାର୍ଥୀ ଆଗରେ କିମ୍ବା ପଛରେ ଅଛନ୍ତି ତାହା ଜଣାପଡେ । ଶେଷ ପର୍ଯ୍ୟାୟ ଗଣତି ସରିବା ପରେ ପର୍ଯ୍ୟାୟ କ୍ରମିକ ଭୋଟ ତଥ୍ୟକୁ ସମ୍ମିଳିତ କରାଯାଏ । ଭୋଟ ବ୍ୟବଧାନ ଅନୁସାରେ, ପ୍ରଥମରେ ଥିବା ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରାଯାଏ ।
ଏହା ମଧ୍ୟ ପଢନ୍ତୁ :- ଫଳାଫଳ ପୂର୍ବରୁ ଭାଙ୍ଗିବ ମନ୍ତ୍ରିମଣ୍ଡଳ: ବସିଲା ନବୀନଙ୍କ ୫ମ ପାଳିର ଶେଷ ବୈଠକ - last cabinet meeting in Odisha
VVPAT (ଭିଭିପ୍ୟାଟ) କଣ:-
ଏହି ବୈଦ୍ୟୁତିକ ଭୋଟିଂ ବ୍ୟବସ୍ଥାରେ ଆହୁରି ସ୍ବଚ୍ଛତା ଓ ପାରଦର୍ଶିତା ଆଣିବା ପାଇଁ ଏହାକୁ 2013 ରେ ପ୍ରଥମେ କାର୍ଯ୍ୟକାରୀ କରାଯାଇଥିଲା । ଏଥିରେ ଜଣେ ଭୋଟର ଭୋଟ ଦେବା ପରେ ତାଙ୍କର ଭୋଟ କେଉଁ ଚିହ୍ନକୁ ଗଲା, ତାହା ଜାଣିବା ପାଇଁ ଏକ ଛୋଟ ଡିସପ୍ଲେରେ ଦୃଶ୍ୟମାନ ହୋଇଥାଏ । ପ୍ରାୟ 7 ସେକେଣ୍ଡ ପର୍ଯ୍ୟନ୍ତ ଦୃଶ୍ୟମାନ ହେବା ପରେ ଏହି ଭୋଟ ଏକ କାଗଜ ସ୍ଲିପରେ ପରିଣତ ହୋଇ ବକ୍ସରେ ପଡେ । ଜଣେ ମତଦାତା ଏହି ପ୍ରକ୍ରିୟାରେ ନିଜ ଭୋଟ ସମ୍ପର୍କରେ ନିଶ୍ଚିତ ହୋଇପାରିବେ । କିନ୍ତୁ ଗଣତି ପ୍ରକ୍ରିୟାରେ ଏହି ଭିଭିପ୍ୟାଟକୁ ଅନ୍ତର୍ଭୁକ୍ତ କରାଯାଏ ନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ