ଓଡିଶା

odisha

ETV Bharat / bharat

'ଲାଲୁ ଯାଦବ ଟିକେଟ ବିକିବାରେ ମାହିର, ଝିଅର କିଡନୀ ନେଇ ଟିକେଟ ଦେଲେ' - Samrat Chaudhary - SAMRAT CHAUDHARY

RJD Seat Distribution: ଲାଲୁ ଯାଦବଙ୍କ ବିପକ୍ଷରେ ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ବିବାଦୀୟ ଟିପ୍ପଣୀ । କହିଲେ 'ଲାଲୁ ଯାଦବ ଟିକେଟ ବିକିବାରେ ମାହିର, ଝିଅର କିଡନୀ ନେଇ ଟିକେଟ ଦେଲେ' । ଅଧିକ ପଢନ୍ତୁ

Samrat Chaudhary
Samrat Chaudhary

By ETV Bharat Odisha Team

Published : Mar 22, 2024, 8:06 PM IST

'ଲାଲୁ ଯାଦବ ଟିକେଟ ବିକିବାରେ ମାହିର, ଝିଅର କିଡନୀ ନେଇ ଟିକେଟ ଦେଲେ'

ପାଟନା: ରାଜନୀତିରେ ବୟାନବାଜି ଚାଲିବା ସାଧାରଣ କଥା । ହେଲେ ବ୍ୟକ୍ତିଗତ ଟିପ୍ପଣୀରୁ ରାଜନେତା ଦୂରେଇ ରହିବା ଆବଶ୍ୟକ । ହେଲେ ଏଠାରେ ବିଜେପି ନେତା ତଥା ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ସେ କହିଛନ୍ତି ଯେ ଲାଲୁ ପ୍ରସାଦ ଯାଦବ ଟିକେଟ ବିକ୍ରି କରିବାରେ ମାହିର । ଏପରିକି ସେ ନିଜ ଝିଅର କିଡନୀ ନେବା ପରେ ଯାଇ ତାଙ୍କୁ ଟିକେଟ ଦେଇଛନ୍ତି ।

ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ପର୍ଯ୍ୟାୟ କ୍ରମେ ନିଜର ପ୍ରାର୍ଥୀ ତାଲିକା ପ୍ରକାଶ କରୁଛନ୍ତି । ତେବେ କେଉଁ ଆସନରୁ କିଏ ନିର୍ବାଚନ ଲଢିବ ସେ ନେଇ ଜାରି ରହିଛି ଚର୍ଚ୍ଚା । ଟିକେଟ ଭାଗବଣ୍ଟାକୁ ନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହୁ କହୁ ଏପରି କହି ଦେଇଛନ୍ତି ବିହାର ବିଜେପି ସଭାପତି ସମ୍ରାଟ ଚୌଧୁରୀ । ବ୍ୟକ୍ତିଗତ ବୟାନବାଜିରୁ ଦୂରେଇ ରହିବା ଲାଗି ଭାରତୀୟ ନିର୍ବାଚନ ଆୟୋଗ ମଧ୍ୟ ସମସ୍ତ ରାଜନୈତିକ ଦଳକୁ ବାରଣ କରିଥିଲେ । ମାତ୍ର ଆଜି ସମ୍ରାଟ ଚୌଧୁରୀ ଲାଲୁଙ୍କୁ ନିଶାନା କରି କହିଛନ୍ତି, " ଲାଲୁଜୀ ଟିକେଟ ବିକ୍ରି କରିବାରେ ମାହିର । ସେ ନିଜ ଝିଅକୁ ବି ଏଥିରୁ ବାଦ ଦେଇନାହାନ୍ତି । ପ୍ରଥମେ ସେ ନିଜ ଝିଅଠାରୁ କିଡନୀ ନେବା ପରେ ଯାଇ ତାଙ୍କୁ ଟିକେଟ ଦେଇଛନ୍ତି ।"

ଏହା ବି ପଢନ୍ତୁ- ବିରୋଧୀ କହିଲେ ପ୍ରଧାନମନ୍ତ୍ରୀଙ୍କ ପରିବାର ନାହିଁ, ବିଜେପି ନେତା ଲେଖିଲେ ‘ମୋଦି କା ପରିବାର’

ସୂଚନା ଥାଉ କି ଲାଲୁ ଯାଦବଙ୍କ ସାନ ଝିଅ ରୋହିଣୀ ଆଚାର୍ଯ୍ୟ ସିଙ୍ଗାପୁରରେ ପିତାଙ୍କୁ କିଡନୀ ଡୋନେଟ କରିଥିଲେ । ଏହାପରେ ଲାଲୁଙ୍କ ସ୍ବାସ୍ଥ୍ୟାବସ୍ଥା ସୁଧୁରିବାରେ ଲାଗିଛି । ଶରୀର ଅସୁସ୍ଥତା ଲାଗି ରାଜନୀତିରୁ କିଛି ସମୟ ପାଇଁ ଦୂରେଇ ଥିବା ଲାଲୁ ଏବେ ବେଶ ସକ୍ରିୟ ହୋଇପଡ଼ିଛନ୍ତି । ଲୋକସଭା ନିର୍ବାଚନ ଲାଗି ଟିକେଟ ଭାଗବଣ୍ଟା ବେଳେ ଲାଲୁଙ୍କ ସକ୍ରିୟ ଭୂମିକା ଦେଖିବାକୁ ମିଳିଛି । ନିକଟରେ 4 ଜଣ ଆଶାୟୀ ପ୍ରାର୍ଥୀଙ୍କ ନାମ ଲାଲୁ ଖୋଦ ଘୋଷଣା କରିଥିବା ଦେଖିବାକୁ ମିଳିଥିଲା ।

ଏହା ବି ପଢନ୍ତୁ- ହସ୍ପିଟାଲରୁ ଫେରିଥିବା ବାପାଙ୍କୁ ଘଣ୍ଟିଲା ସିବିଆଇ, ଝିଅ କହିଲେ କିଛି ହେଲେ କାହାକୁ ଛାଡିବିନି

ତେବେ ରୋହିଣୀଙ୍କୁ ଆରଜେଡି ଟିକେଟ ପ୍ରଦାନ କରିଛି କି ନାହିଁ ସେ ନେଇ ଏଯାବତ ଦଳ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ । ହେଲେ ଲାଲୁ ଗତ ମାର୍ଚ୍ଚ 3 ତାରିଖରେ ଗାନ୍ଧୀ ମୈଦାନରେ ଆୟୋଜିତ ମହାଗଠବନ୍ଧନ ରାଲିରେ ପ୍ରଥମ ଥର ଲାଗି ନିଜ ଝିଅ ରୋହିଣୀ ଆଚାର୍ଯ୍ୟଙ୍କୁ ସମସ୍ତଙ୍କ ସହିତ ପରିଚିତ କରାଇଥିଲେ । ଏପରିକି କିଡନୀ ଡୋନେଟ ସମ୍ପର୍କରେ ଲାଲୁ ସାର୍ବଜନୀନ କରିଥିଲେ । ଏନେଇ ନିଜ ଦଳର କର୍ମକର୍ତ୍ତା ଓ ଉପସ୍ଥିତ ଜନତାଙ୍କୁ ଲାଲୁ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details