ଚେନ୍ନାଇ: ତାମିଲନାଡୁରେ ଶାସନରେ ଥିବା ଡିଏମକେ ନେତୃତ୍ୱାଧୀନ ମିଳିତ ମେଣ୍ଟରେ ସାମିଲ ହୋଇଛି ଅଭିନେତା କମଲ ହାସନଙ୍କ ନେତୃତ୍ୱାଧୀନ ମକ୍କାଲ ନିହି ମାୟାମ (MNM) । ଆଗାମୀ ଲୋକସଭା ନିର୍ବାଚନ ପାଇଁ ଡିଏମକେକୁ ସମର୍ଥନ ଘୋଷଣା କରିଛି ହାସନଙ୍କ ଦଳ । ଲୋକସଭା ନିର୍ବାଚନରେ ହାନସଙ୍କ ଦଳକୁ ରାଜ୍ୟରେ ଗୋଟିଏ ଆସନ ମିଳିବ ବୋଲି ଆଶା କରାଯାଉଛି । ଆସନ୍ତାବର୍ଷ ରାଜ୍ୟରେ ଖାଲି ହେବାକୁ ଥିବା ରାଜ୍ୟସଭା ଆସନରୁ ମଧ୍ୟ କମଲଙ୍କ ଦଳକୁ ଗୋଟିଏ ଗୋଟିଏ ଆସନ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି ।
ଗତ କିଛି ଦିନ ହେବ ଅଭିନେତା କମଲ ହାସନଙ୍କ MNM ଡିଏମକେ ମିଳିତ ମେଣ୍ଟରେ ଯୋଗଦେବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଥିଲା । ଏହି ପରିସ୍ଥିତିରେ କମଲ ଆଜି ଡିଏମକେ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କୁ ଭେଟିବା ପରେ ଡିଏମକେ ମିଳିତ ମେଣ୍ଟରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି । ଚଳିତ ଲୋକସଭା ନିର୍ବାଚନରେ କମଲ ହାସନ ଡିଏମକେ ମେଣ୍ଟର ସହଯୋଗୀ ଦଳକୁ ସମର୍ଥନ କରି ପ୍ରଚାର ମୈଦାନକୁ ମଧ୍ୟ ଓହ୍ଲାଇବେ ।
ମେଣ୍ଟରେ ମିଶିବା ପରେ କମଲ ହାସନ ଗଣମାଧ୍ୟମକୁ ଭେଟି କହିଛନ୍ତି, "ମୁଁ ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁନାହିଁ । ଡିଏମକେ ସହଯୋଗୀ ଦଳ ଆମ ଦଳ ପକ୍ଷରୁ ସମସ୍ତ ସହଯୋଗ ପାଇବ । ଏହା ବର୍ତ୍ତମାନ କୌଣସି ପଦ ପଦବୀର ବିଷୟ ନୁହେଁ ବରଂ ଏହା ଦେଶର ବିଷୟ । ତେଣୁ ମୁଁ ଯେଉଁଠି ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିଛି, ସେଠାରେ ସାମିଲ ହୋଇଛି ।’’ ଡିଏମକେ ମିଳିତ ମେଣ୍ଟର ସମସ୍ତ ଦଳ ପାଇଁ ଆସନ ଆବଣ୍ଟନ ନିଶ୍ଚିତ ହୋଇ ସାରିଥିବା ବେଳେ ପରେ କଂଗ୍ରେସ ସହ ଆସନ ଆବଣ୍ଟନ ଚୂଡାନ୍ତ ହେବ ବୋଲି ଆଶା କରାଯାଉଛି ।