ନୂଆଦିଲ୍ଲୀ:ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ବଦଳ ଆରମ୍ଭ ହୋଇଗଲାଣି । ଦଳ ଛାଡିଲେ ମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ନେତା କୈଳାଶ ଗେହଲଟ । ମନ୍ତ୍ରୀ ପଦ ସହ ଦଳରୁ ମଧ୍ୟ ଇସ୍ତଫା ଦେଇଛନ୍ତି କୈଳାଶ । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅରବିନ୍ଦ କେଜ୍ରିୱାଲଙ୍କ ନିକଟକୁ ସେ ଇସ୍ତଫାପତ୍ର ପଠାଇଛନ୍ତି । ସେପଟେ ବିଜେପି ନେତା ଅନିଲ ଝା ଆପରେ ଯୋଗ ଦେଇଛନ୍ତି ।
ଇସ୍ତଫା ପତ୍ରରେ କ'ଣ ଉଲ୍ଲେଖ ରହିଛି?
କୈଳାଶ ଗେହଲଟ ନିଜ ଇସ୍ତଫା ପତ୍ରରେ ଯମୁନା ସଫେଇ ପ୍ରସଙ୍ଗ ଓ କାଚର ମହଲ ନିର୍ମାଣ ଆଦି ପ୍ରସଙ୍ଗ ବିଷୟରେ ଉଲ୍ଲେଖ କରିଛନ୍ତି । ସେ ଲେଖିଛନ୍ତି, ଆମ ଆଦମୀ ପାର୍ଟି କେନ୍ଦ୍ର ସହ ବିବାଦ କରିବା ଦିଗରେ ନିଜର ସବୁ ସମୟ ଅତିବାହିତ କରୁଛନ୍ତି । ଫଳରେ ଜନହିତକାର କାର୍ଯ୍ୟ ଦିଗରେ ବାଧା ଉପୁଜୁଛି । କେନ୍ଦ୍ର ସରକାରଙ୍କ ସହ ତାଳମେଳ ରହିପାରୁନଥିବାରୁ ଜନହିତକର କାମ ହୋଇପାରୁନାହିଁ । ଜନତାଙ୍କୁ ଯେଉଁ ସବୁ ସୁବିଧା ମିଳିବା ଆବଶ୍ୟକ ତାହା ମଧ୍ୟ ମିଳିପାରୁନାହିଁ ।
ଭାଜପାକୁ ଆପର ଟାର୍ଗେଟ୍:
ଏହାକୁ ନେଇ ଭାଜପାକୁ ଟାର୍ଗେଟ୍ କରିଛି ଆମ ଆଦମୀ ପାର୍ଟି । ଆପ୍ ନେତା ସଞ୍ଜୟ ସିଂ କହିଛନ୍ତି, "କୈଳାଶ ଗେହଲଟ ଇସ୍ତଫା ଦେବା ପଛରେ ବିଜେପିର ହୀନ ଚକ୍ରାନ୍ତ ରହିଛି । ଦିଲ୍ଲୀ ନିର୍ବାଚନ ପୂର୍ବରୁ ମୋଦିଙ୍କ ୱାସିଂ ମେସିନ ସକ୍ରିୟ ହୋଇଛି । ଏବେ କେତେ ଜଣ ନେତା ଏହି ୱାସିଂ ମେସିନ ଜରିଆରେ ବିଜେପିରେ ସାମିଲ ହେବେ ।"