ଶ୍ରୀନଗର:ଜମ୍ମୁକାଶ୍ମୀର କଠୁଆ ଜିଲ୍ଲାରେ ପୁଣି ଆତଙ୍କବାଦୀଙ୍କ ଦୌରାତ୍ମ୍ୟ । ଠିକ୍ 27 ଦିନ ପରେ ଜିଲ୍ଲାରେ ପୁଣି ହୋଇଛି ଆକ୍ରମଣ । ସେନା ଗାଡ଼ିକୁ ଟାର୍ଗେଟ କରି ଆକ୍ରମଣ ହୋଇଥିବା ବେଳେ 5ଜଣ ଯବାନ ଶହୀଦ ଓ 3 ଯବାନ ଗୁରୁତର ଅଛନ୍ତି । ଆକ୍ରମଣ ପରେ ଉକ୍ତ ଅଞ୍ଚଳକୁ ଭାରତୀୟ ଯବାନ ଘେରି ରହିଥିବା ବେଳେ ପାରିପାର୍ଶ୍ବିକ କାର୍ଯ୍ୟକଳାପ ଉପରେ ନଜର ରଖାଯାଇଛି । ଆତଙ୍କୀ ଯେପରି ପଳାୟନ ନ କରିବେ ସେଥିଲାଗି ସେନା ପକ୍ଷରୁ ତୀକ୍ଷ୍ଣ ନଜର ରଖିଛି । ଗତ ଜୁନ 11 ତାରିଖରେ ଜିଲ୍ଲାର ହୀରାନଗରରେ ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । 2 ଆତଙ୍କୀ ନିହତ ହୋଇଥିବା ବେଳେ ଜଣେ ଯବାନ ଶହୀଦ ହୋଇଥିଲେ ।
କେମିତି ହୋଇଥିଲା ଆକ୍ରମଣ ?
ମିଳିଥିବା ସୂଚନା ଅନୁସାରେ, କଠୁଆ ଜିଲ୍ଲାର ବିଲ୍ଲାୱରରେ ଆର୍ମି କନଭଏ ଉପରେ ଆକ୍ରମଣ ହୋଇଛି । ସେନା ଗାଡ଼ି ପାହାଡ଼ି ଅଞ୍ଚଳ ଦେଇ ଯାଉଥିବା ବେଳେ ପର୍ବତ ଉପରେ ଲୁଚି ରହି ଆକ୍ରମଣ କରିଥିଲେ ଆତଙ୍କବାଦୀ । ସେନା ଗାଡ଼ି ଉପରକୁ ଗୁଳିମାଡ଼ କରିବା ସହ ଗ୍ରେନେଡ ଫିଙ୍ଗିଥିଲେ । ଏହାପରେ ଭାରତୀୟ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏବେ ବି ଏନକାଉଣ୍ଟର ଜାରି ରହିଛି । ସୂତ୍ର ଅନୁସାରେ ଆତଙ୍କବାଦୀମାନେ ଆକ୍ରମଣ ପରେ ଉକ୍ତ ସ୍ଥାନରୁ ଖସି ପଳାଇଥିବା ସନ୍ଦେହ କରାଯାଉଛି ।
ଅନ୍ୟପଟେ ଗତ କିଛି ସପ୍ତାହ ଧରି ଜମ୍ମୁରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢିଛି । ଜୁନ 11 ଓ 12 ତାରିଖରେ ଜମ୍ମୁ କାଶ୍ମୀରର ଡୋଡା ଜିଲ୍ଲାରେ ଟ୍ବିନ ଏନକାଉଣ୍ଟର ହୋଇଥିଲା । ଜୁନ 11 ତାରିଖରେ 6ଜଣ ସେନା ଅଧିକାରୀ ଆହତ ହୋଇଥିଲେ । ସେହିପରି ଜୁନ 12ତାରିଖରେ ହୋଇଥିବା ଏନକାଉଣ୍ଟରରେ ଜଣେ ପୋଲିସ ଅଧିକାରୀ ଆହତ ହୋଇଥିଲେ । ଏହାପରେ ସୀମାବର୍ତ୍ତୀ ଅଞ୍ଚଳରେ ଆତଙ୍କୀ ନିରୋଧୀ ଅଭିଯାନ ଆରମ୍ଭ ହୋଇଥିଲା ।