ଅମରାବତି: ମହାକାଶକୁ ଗଲା ‘ନଟି ବୟ’ । ପାଣିପାଗ ଉପଗ୍ରହ INSAT-3DS କୁ ସଫଳତାର ସହ ଉତକ୍ଷେପଣ କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) । ଆଜି ନିର୍ଦ୍ଧାରିତ ସଂଧ୍ୟା 5ଟା 35 ମିନିଟରେ ଆନ୍ଧ୍ର ଉପକୂଳରେ ଥିବା ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଏହାକୁ ସଫଳତାର ସହ ଉତକ୍ଷେପଣ କରାଯାଇଛି । ଏହି ଉପଗ୍ରହକୁ ଉତକ୍ଷେପଣ କରିବା ପାଇଁ GSLV ରକେଟ ବ୍ୟବହାର କରାଯାଇଥିଲା । ଏହି ଉପଗ୍ରହର ନାମ ରଖାଯାଇଛି ‘ନଟି ବୟ’ । ଜାନୁଆରୀ ପହିଲା ପରେ ଏହା ହେଉଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଦ୍ବିତୀୟ ଉତକ୍ଷେପଣ ।
ନିର୍ଦ୍ଧାରିତ ସମୟରେ ଲଞ୍ଚିଂ କାଉଣ୍ଟଡାଉନ ଆରମ୍ଭ ହୋଇଥିଲା । ସଂଧ୍ୟା 5.35 ମିନିଟରେ ଏହା ସଫଳତାର ସହ ଉତକ୍ଷେପିତ ହେବା ପରେ ପର୍ଯ୍ୟାୟକ୍ରମେ ରକେଟର ବିଭିନ୍ନ ଅଂଶର ପୃଥକୀକରଣ ମଧ୍ୟ ଶେଷ ହୋଇଥିଲା । ପରେ ଏହା ମାତ୍ର କିଛି ମନିଟ ମଧ୍ୟରେ ପୃଥିବୀର ନିର୍ଦ୍ଧାରିତ କକ୍ଷପଥରେ ସ୍ଥାପିତ ହୋଇଛି । କକ୍ଷପଥରେ ସ୍ଥାପିତ ହେବାର କିଛି ସମୟ ମଧ୍ୟରେ ଏହି ଉପଗ୍ରହ କାର୍ଯ୍ୟ ଆରମ୍ଭ କରିବ । ଏହି ଉପଗ୍ରହର ଓଜନ ରହିଛି 2,274 କିଲୋଗ୍ରାମ । ଏଥିରେ ଏକାଧିକ ପେ-ଲୋଡ ବ୍ୟବହୃତ ହୋଇଛି ।
ଭୂବିଜ୍ଞାନ ମନ୍ତ୍ରଣାଳୟ ଅଧୀନରେ ଥିବା ଏକାଧିକ ବିଭାଗ ଏହି ଉପଗ୍ରହ ମାଧ୍ୟମରେ ସେବା ପାଇବେ । ଏହା ମଧ୍ୟରେ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର (ଆଇଏମଡି) ମୁଖ୍ୟ ବିଭାଗ ଭାବେ ଏହା ଦ୍ବାରା ଲାଭବାନ ହେବାକୁ ଯାଉଛି । ବିଶେଷ ଭାବେ ପାଣିପାଗ ସମ୍ପର୍କିତ ପୂର୍ବାନୁମାନ ଓ ସୂଚନା ଓ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଏହି ଉପଗ୍ରହ କାର୍ଯ୍ୟପ୍ରଣାଳୀର ପ୍ରମୁଖ ଭୂମିକା ଗ୍ରହଣ କରିବ । ଏହା ବ୍ୟତୀତ ଏହି ଉପଗ୍ରହ ଜାତୀୟ ସମୁଦ୍ର ପ୍ରାଦୌଗିକୀ ସଂସ୍ଥା (ଏନଆଇଓଟି), ଜାତୀୟ ମଧ୍ୟମ ଅବଧି ପାଣିପାଗ ପୂର୍ବାନୁମାନ କେନ୍ଦ୍ର ଓ ଭାରତୀୟ ଜାତୀୟ ସମୁଦ୍ର ସୂଚନା ସେବା କେନ୍ଦ୍ରକୁ ମଧ୍ୟ ସେବା ଯୋଗାଇବାକୁ ଯାଉଛି । ଉତକ୍ଷେପଣ ସଫଳ ହେବା ପରେ ଇସ୍ରୋ ମୁଖ୍ୟ ଏସ.ସୋମନାଥ ଇସ୍ରୋ ଟିମକୁ ସମ୍ବୋଧିତ କରିଛନ୍ତି । ମିଶନରେ ସମ୍ପୃକ୍ତ ସମସ୍ତ ବିଭାଗୀୟ ବୈଜ୍ଞାନିକଙ୍କୁ ସେ ଶୁଭେଚ୍ଛା ଜଣାଇଛନ୍ତି ।