ଚେନ୍ନାଇ(ତାମିଲନାଡୁ): ତାମିଲନାଡୁରୁ ଆରମ୍ଭ ହୋଇଥିଲା ଲୌହ ଯୁଗ ! ଇତିହାସକୁ ନେଇ ଏଭଳି ଏକ ବଡ଼ ଦାବି କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ । ତାମିଲନାଡୁରେ ହୋଇଥିବା ଖନନ କାର୍ଯ୍ୟରୁ ମିଳିଥିବା ସୂଚନା ଅନୁଯାୟୀ, ୫୩୦୦ ବର୍ଷ ପୂର୍ବରୁ ତାମିଲନାଡୁରେ ଲୁହାର ପ୍ରଚଳନ ହୋଇଥିଲା ।
ଆଣ୍ଟିକ୍ୱିଟି ଅଫ୍ ଆଇରନ୍ :
ମୁଖ୍ୟମନ୍ତ୍ରୀ ଷ୍ଟାଲିନ, ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ପ୍ରକାଶନ 'ଆଣ୍ଟିକ୍ୱିଟି ଅଫ୍ ଆଇରନ୍'(Antiquity of Iron) ପୁସ୍ତକର ଲୋକାପର୍ଣ ସମୟରେ ଏହା କହିଛନ୍ତି । ଥୋଥୁକୁଡି ଜିଲ୍ଲାର ଶିବଗଲାଇ ଖନନ ସ୍ଥାନରୁ ମିଳିଥିବା ଖଣ୍ଡା ସମେତ ଲୁହାରେ ନିର୍ମିତ ବସ୍ତୁର ବୟସ ଜାଣିବା ପାଇଁ ବଡ ବଡ ଲ୍ୟାବକୁ ଏହାର ପରୀକ୍ଷଣ ନିମନ୍ତେ ପଠାଯାଇଥିଲା । ପରୀକ୍ଷଣର ରିପୋର୍ଟରୁ ଏହି ପୁସ୍ତକ ଲେଖାଯାଇଥିବା ସେ କହିଛନ୍ତି । ତାମିଲନାଡୁ ରାଜ୍ୟ ପତ୍ନତତ୍ତ୍ବ ବିଭାଗର ଏକାଡେମିକ ଓ ଅନୁସନ୍ଧାନ ପରାମର୍ଶଦାତା ପ୍ରଫେସର କେ ରଞ୍ଜନ ଓ ତାମିଲନାଡୁ ରାଜ୍ୟ ପତ୍ନତତ୍ତ୍ବ ବିଭାଗର ସଂଯୁକ୍ତ ନିର୍ଦ୍ଦେଶକ ଆର. ଶିବନାଥମ ଏହି ପୁସ୍ତକର ମୁଖ୍ୟ ଲେଖକ ।
'ଲୌହ ଯୁଗର ଆରମ୍ଭ ତାମିଲ ମାଟିରୁ...'
ମୁଖ୍ୟମନ୍ତ୍ରୀ ଷ୍ଟାଲିନ କହିଛନ୍ତି," କେବଳ ଭାରତ ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱକୁ ତାମିଲନାଡୁର ଏହା ଏକ ଉପହାର ସ୍ୱରୂପ । ତାମିଲ ଭୂମିରୁ ଲୌହ ଯୁଗର ଆରମ୍ଭ ହୋଇଛି । ଲୁହାର ପ୍ରଚଳନ 5,300 ବର୍ଷ ପୂର୍ବରୁ ତାମିଲନାଡୁରେ ହୋଇଆସୁଛି । ଖନନରୁ କରାଯାଇଥିବା ସାମ୍ପ୍ରତିକ ଅଧ୍ୟୟନରୁ ଜଣାପଡୁଛି ଯେ ୪୦୦୦ ଖ୍ରୀଷ୍ଟାବ୍ଦ ପୂର୍ବରୁ ଲୁହାର ପ୍ରଚଳନ ହୋଇଆସୁଛି ।
ରାଜ୍ୟରେ ହୋଇଥିବା ଖନନ କାର୍ଯ୍ୟରୁ ମିଳିଥିବା ନମୁନାକୁ ଆମେରିକାର ବେଟା ଆନାଲିଟିକ୍ସ, ଲକ୍ଷ୍ମୌ ବୀରବଲ ସାହାନି ଇନଷ୍ଟିଚ୍ୟୁଟ ଅଫ ପାଲାଇସାଇନ୍ସ ଓ ଅହମ୍ମଦାବାଦର ଦ ଫିଜିକାଲ ଲାବୋରେଟୋରୀକୁ ପଠାଯାଇଥିଲା । ଏହି ତିନୋଟି ଭିନ୍ନ ବିଶ୍ଳେଷଣ ଫଳାଫଳକୁ ସମୀକ୍ଷା କରାଯାଇଥିଲା । ଖ୍ରୀଷ୍ଟପୂର୍ବ 3500 ପୂର୍ବରୁ ଦକ୍ଷିଣ ଭାରତରେ ଏହି ଲୁହା ବ୍ୟବହାର ହୋଇଆସୁଛି ବୋଲି ଜଣାପଡିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଲୁହା ବ୍ୟବହାର ଏବଂ ଲୁହା ତରଳାଇବା ପ୍ରକ୍ରିୟା ମଧ୍ୟ ଭାରତରେ ଆରମ୍ଭ ହୋଇଥିବା ସେ କହିଛନ୍ତି ।