ନୂଆଦିଲ୍ଲୀ:ଅଥଳ ସମୁଦ୍ରରେ ପୁଣିଥରେ ନିଜର ଶୌର୍ଯ୍ୟ ଦେଖାଇଛି ଭାରତୀୟ ନୌସେନା । ଆରବ ସାଗରରେ ଅପହରଣ ହୋଇଥିବା ଆଉ ଗୋଟିଏ ଇରାନୀୟ ଜାହାଜକୁ ଜଳଦସ୍ୟୁଙ୍କ କବଳରୁ ମୁକ୍ତ କରିଛି । ଏହା ଏକ ମାଛଧରା ଜାହାଜ ହୋଇଥିବା ବେଳେ ୯ ଜଣ ସଶସ୍ତ୍ର ଜଳଦସ୍ୟୁ ଏହାକୁ ଅପହରଣ କରିନେଇଥିଲେ । ଦୀର୍ଘ ୧୨ ଘଣ୍ଟାର ବଡ଼ ଅପରେସନ ପରେ ସାମୁଦ୍ରିକ ଲୁଟେରାଙ୍କୁ ମାତ୍ ଦେଇ ଜାହାଜ ସମେତ ସମସ୍ତ କ୍ରୁ ମେମ୍ବରକୁ ମୁକ୍ତ କରିଛି ଭାରତୀୟ ନୌସେନା । ଜାହାଜରେ ୨୩ ଜଣ ପାକିସ୍ତାନୀ କ୍ରୁ ମେମ୍ବର ଥିବାବେଳେ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।
ନୌସେନା ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି, ଗତ ୨୮ ତାରିଖ ବିଳମ୍ବିତ ରାତିରେ ସାକ୍ରୋଟା ଠାରୁ ୯୦ ସାମୁଦ୍ରିକ ମାଇଲ ଦୂର ଦକ୍ଷିଣ ପଶ୍ଚିମରେ ଇରାନର ଅଲ୍-କମ୍ବର ନାମକ ଏକ ମାଛଧରା ଜାହଜକୁ ୯ ଜଣ ସଶସ୍ତ୍ର ସାମୁଦ୍ରିକ ଲୁଟେରା ବା ଜଳଦସ୍ୟୁମାନେ ହାଇଜାକ କରିନେଇଥିଲେ । ଏହି ଅପହୃତ ଜାହାଜକୁ ଉଦ୍ଧାର କରିବାକୁ ଇରାନର ସୂଚନା କ୍ରମେ ଶୁକ୍ରବାର ଭୋର୍ରୁ ଭାରତୀୟ ନୌସେନା ବଡ଼ ଅପରେସନ ଆରମ୍ଭ କରିଥିଲା । ଜାହାଜକୁ ଜଳଦସ୍ୟୁଙ୍କ କବଳରୁ ମୁକ୍ତ କରିବାକୁ ଆରବ ସାଗରରେ ସାମୁଦ୍ରିକ ସୁରକ୍ଷା ପାଇଁ ମୁତୟନ ଥିବା ଦୁଇଟି ଭାରତୀୟ ନୌସେନା ଜାହାଜକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଥିଲା ।