ନୂଆଦିଲ୍ଲୀ:ଶ୍ରୀଲଙ୍କା ଓ ମରିସସରେ ଆରମ୍ଭ ହେଲା ୟୁପିଆଇ ଯୁଗ । ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିନ୍ଧେ ଏବଂ ମରିସସ ପ୍ରଧାନମନ୍ତ୍ରୀ ପ୍ରବିନ୍ଧ ଜୁଗନାଥଙ୍କ ଉପସ୍ଥିତିରେ ଭିଡିଓ କନଫରେନ୍ସିଂ ଜରିଆରେ ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ( UPI) ସେବାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୂଚନାଥାଉକି, ଗତବର୍ଷ ଜୁଲାଇ ମାସରେ ଶ୍ରୀଲଙ୍କା ରାଷ୍ଟ୍ରପତି ରନିଲ ବିକ୍ରମାସିନ୍ଦେ ନୂଆଦିଲ୍ଲୀ ଗସ୍ତ ସମୟରେ ୟୁପିଆଇ ସେବା ନେଇ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା ।
ଆଜି ବିଶେଷ ଦିନ କହିଲେ ମୋଦି:ଦୁଇ ଦେଶରେ ୟୁପିଆଇ ସେବା ଆରମ୍ଭ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, "ଭାରତ ମହାସାଗରୀୟ କ୍ଷେତ୍ରର ତିନି ଦେଶ ପାଇଁ ଆଜି ବିଶେଷ ଦିନ । ଆଜି ଆମେ ଆମର ଐତିହାସିକ ସମ୍ପର୍କକୁ ଏକ ଆଧୁନିକ ଡିଜିଟାଲ୍ ତରିକାରେ ସଂଯୋଗ କରିଛୁ । ଏହା ଜନସାଧରଣଙ୍କୁ ଦିଆଯାଇଥିବା ବିକାଶ ପ୍ରତିଶ୍ରୁତିର ଏକ ପ୍ରମାଣ । ଫିଣ୍ଟେକ୍ କନେକ୍ଟିଭିଟି କେବଳ ସୀମା କାରବାରରେ ସାହାଯ୍ୟ କରିବ ନାହିଁ ବରଂ ସୀମାପାର ସମ୍ପର୍କକୁ ମଧ୍ୟ ମଜବୁତ କରିବ। ୟୁପିଆଇ ପାଖରେ ବର୍ତ୍ତମାନ ନୂଆ ଦାୟିତ୍ବ ରହିଛି । "
ସେ ଆହୁରି ମଧ୍ୟ କହିଛନ୍ତି, "ସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଭିତ୍ତିଭୂମିରେ ଭାରତ ପାଇଁ ଏକ ବଡ ପରିବର୍ତ୍ତନ ଆଣିଛି ଡିଜିଟାଲ । ଛୋଟଛୋଟ ଗାଁର କ୍ଷୁଦ୍ର ବ୍ୟବସାୟୀମାନେ ମଧ୍ୟ ଡିଡିଟାଲ ପେମେଣ୍ଟ କରୁଛନ୍ତି । 'ପଡୋଶୀ ପ୍ରଥମ' ହେଉଛି ଭାରତର ନୀତି । ଆମର ସାମୁଦ୍ରିକ ଦୃଷ୍ଟିକୋଣ ହେଉଛି SAGAR । ସମସ୍ତ କ୍ଷେତ୍ରରେ ଶାନ୍ତି, ସୁରକ୍ଷା ଏବଂ ବିକାଶ ଆମର ଲକ୍ଷ୍ୟ ଅଟେ ।"