ନୂଆଦିଲ୍ଲୀ:ଆଜି 75 ତମ ସାଧାରଣତନ୍ତ୍ର ବା ଗଣତନ୍ତ୍ର ଦିବସ । ଦିଲ୍ଲୀଠୁ ପଲ୍ଲୀ ସବୁଠି ଉଡୁଛି ତ୍ରିରଙ୍ଗା । ଦେଶର କୋଣ ଅନୁକୋଣରେ ଗୁଞ୍ଜରିତ ହେଉଛି ଜାତୀୟ ସଙ୍ଗୀତ । ବନ୍ଦେ ମାଆ ତରମ୍ ଧ୍ବନିରେ କମ୍ପି ଉଠୁଛି ଗଗନ ପବନ । ପ୍ରତିଟି ଭାରତୀୟ ପାଇଁ ଆଜିର ଦିନ ବେଶ ସ୍ବତନ୍ତ୍ର । କାହିଁକିନା 1950 ମସିହା ଆଜିର ଦିନରେ ଭାରତର ନୂତନ ସମ୍ବିଧାନ ଲାଗୁ ହୋଇଥିଲା । ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହେବା ସହ ଏକ ଲିଖିତ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ଏହି ଦିନକୁ ସ୍ମରଣୀୟ କରିବା ପାଇଁ ପ୍ରତିବର୍ଷ ଆଜିର ଦିନକୁ ସାରା ଦେଶରେ ଗଣତନ୍ତ୍ର ଦିବସ ଭାବେ ପାଳନ କରାଯାଏ ।
1947 ମସିହା ଅଗଷ୍ଟ 15 ତାରିଖରେ ଆମ ଦେଶ ସ୍ବାଧୀନ ହୋଇଥିଲା ସତ କିନ୍ତୁ ଦେଶ ପରିଚାଳନା ପାଇଁ କୌଣସି ସାମ୍ବାଧାନିକ ବ୍ୟବସ୍ଥା ନଥିଲା । ସମ୍ବିଧାନ ପ୍ରସ୍ତୁତ ଲାଗି 1946 ମସିହା ଡିସେମ୍ବର 9ରେ ଦିଲ୍ଲୀରେ ବସିଥିଲା ପ୍ରଥମ ସଭା । ଏହାପରେ 1948 ମସିହା ଫେବୃଆରୀ ମାସରେ ଏହି ସମ୍ବିଧାନର ଚିଠା ପ୍ରକାଶ ପାଇଥିଲା । ନଭେମ୍ବର 26, 1949 ମସିହାରେ ଭାରତର ସମ୍ବିଧାନ, ସମ୍ବିଧାନ ପ୍ରଣୟନକାରୀ ସାଧାରଣ ସଭାରେ ଅନୁମୋଦିତ ହୋଇଥିଲା । ଏହାପରେ 1950 ମସିହା ଜାନୁଆରୀ 26 ତାରିଖରେ ଏହା କାର୍ଯ୍ୟକ୍ଷମ ହୋଇଥିଲା । 74 ବର୍ଷ ତଳେ ଆଜିର ଦିନରେ ଭାରତ ଏକ ସାର୍ବଭୌମତ୍ବ ଗଣତାନ୍ତ୍ରିକ ରାଷ୍ଟ୍ର ରୂପେ ପରିଗଣିତ ହେବା ସହ ଲିଖିତ ସମ୍ବିଧାନ ବ୍ୟବସ୍ଥାର କାର୍ଯ୍ୟକାରୀ ହୋଇଥିଲା । ଯେଉଁଥିରେ ସମସ୍ତ ନାଗରିକ ଭାରତକୁ ଏକ ସମ୍ପୂର୍ଣ୍ଣ ଧର୍ମନିରପେକ୍ଷ, ସମାଜବାଦୀ, ରାଷ୍ଟ୍ରୀୟ ଅଖଣ୍ଡତା, ଏକତା ପାଇଁ ସଂକଳ୍ପ ନେଇଥିଲେ । ଏହି ଦିନକୁ ସମ୍ମାନ ଜଣାଇ ଜାନୁଆରୀ 26 ତାରିଖରେ ସାଧାରଣତନ୍ତ୍ର ଦିବସ ପ୍ରତିବର୍ଷ ପାଳନ କରାଯାଉଛି ।