ନୂଆଦିଲ୍ଲୀ: ଚଳିତମାସ (ଜାନୁଆରୀ) 31 ତାରିଖରୁ ଆରମ୍ଭ ହେବାକୁ ଯାଉଛି ସଂସଦ ବଜେଟ୍ ଅଧିବେଶନ । ଏହି ଅଧିବେଶନରେ ଚଳିତ ଆର୍ଥିକବର୍ଷର ବାର୍ଷିକ ବଜେଟ୍ ସାଙ୍ଗକୁ ଏକାଧିକ୍ ଗୁରୁତ୍ବପୂର୍ଣ୍ଣ ବିଲ୍ ଆଗତ କରିବେ କେନ୍ଦ୍ର ସରକାର । ତେବେ ଶାସକ ମେଣ୍ଟ ବିରୋଧରେ ଏକଜୁଟ ହୋଇ ଲଢିବ ମିଳିତ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ । ବିଭିନ୍ନ ପ୍ରସଙ୍ଗରେ ମେଣ୍ଟ ମଧ୍ୟରେ ସହଯୋଗୀ ଦଳମାନଙ୍କ ମଧ୍ୟରେ ମତାନ୍ତର ଥିଲେ ସୁଦ୍ଧା ଏଥର ସଂସଦରେ ବିରୋଧୀ ଏକତା ଦେଖାଇବାକୁ ସେମାନେ ରଣନୀତି ପ୍ରସ୍ତୁତ କରିଛନ୍ତି । ବିଭିନ୍ନ ପ୍ରସଙ୍ଗରେ ସେମାନେ ପ୍ରଭାବୀ ଢଙ୍ଗରେ ଗୃହରେ ସରକାରଙ୍କୁ ଘେରିବେ । ଏନେଇ ଖୁବଶୀଘ୍ର ବୈଠକ ହେବାକୁ ଯାଉଛି ।
- ସୋନିଆ-ଖଡେଗ ଓ ରାହୁଲ ନେବେ ମିଟିଂ
କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ତଥା ଦଳର ସଂସଦୀୟ କମିଟି ମୁଖ୍ୟ ସୋନିଆ ଗାନ୍ଧୀ 30 ତାରିଖରେ ଦଳର ଲୋକସଭା ଓ ରାଜ୍ୟସଭାର ଫ୍ଲୋରଲିଡରଙ୍କ ସହ ବୈଠକ କରିବେ । ସେହିପରି ଫେବୃଆରୀ 2 ତାରିଖରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ଦଳର ରାଷ୍ଟ୍ରୀୟ ଅଧ୍ଯକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ‘ଇଣ୍ଡିଆ’ ମେଣ୍ଟର ସହଯୋଗୀ ଦଳଙ୍କ ସହ ବୈଠକ କରିବେ । ଏହି ବୈଠକରେ ମେଣ୍ଟର ମିଳିତ ରଣନୀତି ପ୍ରସ୍ତୁତ ହେବ ।
- ଫୋକସରେ ଦରଦାମ, ବେରୋଜଗାରୀ ମୁଦ୍ଦା
କଂଗ୍ରେସ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରାଜ୍ୟସଭା ସାଂସଦ ସୟଦ ନାସିର ହୁସେନ ‘ଇଟିଭି ଭାରତ’କୁ ପ୍ରତିକ୍ରିୟାରେ କହିଛନ୍ତି,‘‘ ଇଣ୍ଡିଆ ମେଣ୍ଟ ଏକାଠି ଅଛି । ଭାରତୀୟ ଜନତା ପାର୍ଟିର କୌଣସି ସମ୍ବିଧାନବିରୋଧୀ ବିଲକୁ ବିରୋଧ କରିବା ପାଇଁ ମେଣ୍ଟ ଏକାଠି ଅଛି । ସେହିପରି ବିଭିନ୍ନ ପ୍ରସଙ୍ଗରେ ମଧ୍ୟ ମେଣ୍ଟ ମିଳିତ ଆଭିମୁଖ୍ୟ ରଖିବ । ସାଧାରଣ ଲୋକଙ୍କ ପ୍ରଭାବିତ କରିବା ପରି ଏକାଧିକ ପ୍ରସଙ୍ଗରେ ମେଣ୍ଟ ସରକାରଙ୍କଠାରୁ ସନ୍ତୋଷଜନକ ଉତ୍ତର ଆଶା କରେ । ବିଶେଷ ଭାବେ ମୁଦ୍ରାସ୍ଫୀତି, ଦରଦାମ ବୃଦ୍ଧି, ବେରୋଜଗାରୀ, ଚାଷୀ ଓ ଛାତ୍ରସମାଜର ପ୍ରସଙ୍ଗରେ ସରକାରଙ୍କୁ ଜବାବ ଦେବାକୁ ହେବ ।’’
ଏହା ମଧ୍ୟ ପଢନ୍ତୁ :- |