ନୂଆଦିଲ୍ଲୀ:କଂଗ୍ରେସକୁ ବଡ ଆଶ୍ବସ୍ତି । ଇନକମ ଟ୍ୟାକ୍ସ ରିକୋଭରୀ ବିରୋଧରେ କଂଗ୍ରେସର ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିବା ବେଳେ କଂଗ୍ରେସକୁ ଆଶ୍ବସ୍ତି ମିଳିଛି । ସୁପ୍ରିମକୋର୍ଟ ଶୁଣାଣି ସମୟରେ ଆୟକର ବିଭାଗ ପକ୍ଷରୁ କୁହାଯାଇଛି, ଏହି ପ୍ରସଙ୍ଗରେ ଆମେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ନାହିଁ । ନିର୍ବାଚନ ପରେ ଶୁଣାଣି ହେବ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଅର୍ଥାତ କଂଗ୍ରେସକୁ ଦିଆଯାଇଥିବା ନୋଟିସ ବିରୋଧରେ ଦାଖଲ ହୋଇଥିବା ଆବଦେନର ଶୁଣାଣି ଜୁଲାଇରେ ହେବ । ପ୍ରକାଶଥାଉକି, ଗତ ମାର୍ଚ୍ଚ 29 ତାରିଖ ଦିନ କଂଗ୍ରେସକୁ 3500 କୋଟି ଟଙ୍କାର ନୋଟିସ ପଠାଇଥିଲା ଆୟକର ବିଭାଗ ।
ଶୁଣାଣି ସମୟରେ ଆୟକର ବିଭାଗ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ହାଜର ହୋଇଥିଲେ । ସେ କହିଥିଲେ, "ଆମେ ଚାହୁଁନାହୁଁ ନିର୍ବାଚନ ସମୟରେ କୌଣସି ଦଳ ଅସୁବିଧାର ସମ୍ମୁଖୀନ ହୁଅନ୍ତୁ । ତେଣୁ ବର୍ତ୍ତମାନ 3500 କୋଟି ଟଙ୍କାର ଟ୍ୟାକ୍ସ ବିରୋଧରେ କୌଣସି ପଦକ୍ଷେପ ନିଆଯିବ ନାହିଁ । ସଲିସିଟର ଜେନେରାଲ ବିବି ନାଗରତ୍ନଙ୍କ ବେଞ୍ଚକୁ କହିଥିଲେ, ନୋଟିସ ବିରୋଧରେ ମାମଲାର ଶୁଣାଣି ନିର୍ବାଚନ ପର୍ଯ୍ୟନ୍ତ ସ୍ଥଗିତ ରଖାଯିବ ଉଚିତ୍ ।