ଚଣ୍ଡିଗଡ:ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେଇ କଂଗ୍ରେସରେ ସାମିଲ ହେଲେ ହରିୟାଣାର ହିସାରର ସାଂସଦ ବ୍ରିଜେନ୍ଦ୍ର ସିଂ । ବିଜେନ୍ଦ୍ର ଜଣେ ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ । ସେ ସେବା ନିବୃତ୍ତ ହେବା ପରେ 2014ରେ ବିଜେପିରେ ସାମିଲ ହୋଇଥିଲେ । ତାଙ୍କ ପିତା ବୀରେନ୍ଦ୍ର ସିଂ ଜଣେ ପୂର୍ବତନ ମନ୍ତ୍ରୀ ମଧ୍ୟ । ଗତ ନିର୍ବାଚନରେ ସେ ହିସାରରୁ ବିଜେପି ଟିକେଟରେ ନିର୍ବାଚନ ଜିତି ସଂସଦରେ ପହଞ୍ଚିଥିଲେ । ସେ ବିଜେପିରୁ ଇସ୍ତଫା ଦେବାର କିଛି ଘଣ୍ଟା ମଧ୍ୟରେ କଂଗ୍ରେସର ପାର୍ଟି ମୁଖ୍ୟାଳୟରେ ଦଳରେ ମିଶିଛନ୍ତି । କଂଗ୍ରେସ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ ତାଙ୍କୁ କଂଗ୍ରେସ ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳକୁ ସ୍ବାଗତ କରିଛନ୍ତି । ମିଶ୍ରଣ ପର୍ବରେ ଅଜୟ ମାକେନ ଓ ଅନ୍ୟ କିଛି ବରିଷ୍ଠ କଂଗ୍ରେସ ନେତା ମଧ୍ୟ ସାମିଲ ଥିବା ଦେଖିବାକୁ ମିଳିଥିଲା ।
କଂଗ୍ରେସରେ ଯୋଗଦେବା ପରେ ବ୍ରିଜେନ୍ଦ୍ର ସିଂ କହିଛନ୍ତି,‘‘ଅକ୍ଟୋବର 2 ତାରିଖରେ ହରିୟାଣାର ଜିନ୍ଦରେ ହୋଇଥିବା ଦଳୀୟ ରାଲିରେ ଏକ ପ୍ରସଙ୍ଗ ସାମ୍ନାକୁ ଆସିଥିଲା । ସେତେବେଳେ ରାଜ୍ୟରେ ବିଜେପି-ଜେଜେପି ମିଳିତ ମଞ୍ଚକୁ ନେଇ ଏହି ପ୍ରସଙ୍ଗ ଥିଲା । ଆଜି ଇସ୍ତଫା ସମ୍ପର୍କରେ ଯେଉଁ ନିଷ୍ପତ୍ତି ନିଆଯାଇଛି, ଏହା ମଧ୍ୟ ଏକ କାରଣ ।’’ ହେଲେ ସେ ନିର୍ବାଚନ ଲଢିବେ କି ନାହିଁ ସେ ସମ୍ପର୍କରେ ଆଜି କିଛି ଘୋଷଣା କରିନାହାନ୍ତି ।