ଅଯୋଧ୍ୟା:ପ୍ରାଣ ପ୍ରତିଷ୍ଠା ପରେ ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିଲା ରାମ ମନ୍ଦିର । ରାମଲାଲାଙ୍କ ଦିବ୍ୟ ଦର୍ଶନ ପାଇଁ ସକାଳୁ ସକାଳୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼ ଜମିଛି । ପ୍ରଭୁଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପ୍ରାପ୍ତି କରିଛନ୍ତି ଭକ୍ତ । ରାମ ନାମରେ ପ୍ରକମ୍ପିତ ହେଉଛି ମନ୍ଦିର ପରିସର । ରଘୁନନ୍ଦନଙ୍କ ଦର୍ଶନ ପାଇଁ ଆଜି ଭୋର୍ 3ଟାରୁ ବହୁସଂଖ୍ୟାରେ ଭକ୍ତମାନେ ମନ୍ଦିର ପରିସରରେ ଭିଡ଼ ଜମାଇଛନ୍ତି । ସକାଳ 7ଟାରୁ ଆରମ୍ଭ ହୋଇଛି ପ୍ରଥମ ଦର୍ଶନ । ଯାହା ଦିନ 11ଟା 30 ପର୍ଯ୍ୟନ୍ତ ଜାରି ରହିବ । ପ୍ରଥମ ଦର୍ଶନ ପରେ ପହୁଡ ପଡିବ । ପରେ ନିର୍ଦ୍ଧାରିତ ସମୟରେ ଦ୍ବିତୀୟ ଦର୍ଶନ ଆରମ୍ଭ ହେବ । ଚର୍ମଚକ୍ଷୁରେ ଭଗବାନଙ୍କ ଦର୍ଶନ ପାଇ ଶାନ୍ତ ହେଲା ଭକ୍ତର ଆତୁର ମନ ଓ ଆଖିକୁ ମିଳିଲା ଶାନ୍ତି ।
ଭୋର 3ଟାରୁ ମନ୍ଦିର ବାହାରେ ଭକ୍ତ ସମାଗମ: ରାମଲାଲାଙ୍କ ଦର୍ଶନ ପାଇଁ ଭୋର 3ଟାରୁ ମନ୍ଦିର ବାହାରେ ଭକ୍ତଙ୍କ ଭିଡ ଜମିଥିଲା । ରଘୁନନ୍ଦନଙ୍କୁ ଦର୍ଶନ କରିବାକୁ ଆତୁର ହେଉଥିଲେ ରାମଭକ୍ତ । ଦୀର୍ଘ 4 ଘଣ୍ଟାର ଅପେକ୍ଷା ପରେ ମନ୍ଦିର ମଧ୍ୟକୁ ଭକ୍ତଙ୍କୁ ପ୍ରବେଶ ଅନୁମତି ମିଳିଥିଲା । କଡା ସୁରକ୍ଷା ମଧ୍ୟରେ ଭଗବାନଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ପ୍ରାଣ ପ୍ରତିଷ୍ଠା ପରେ ପ୍ରଥମ ଥର ପାଇଁ ସର୍ବସାଧାରଣଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ ଅନୁମତି ମିଳିଛି । ଶାନ୍ତି ଶୃଙ୍ଖଳାରେ ଦର୍ଶନ କରିବାକୁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।
ଏହା ମଧ୍ୟ ପଢନ୍ତୁ-ପ୍ରାଣ ପ୍ରତିଷ୍ଠା ସମାରୋହରେ ରାମଲାଲାଙ୍କୁ କ୍ଷମା ମାଗିଲେ ମୋଦି, ଜାଣନ୍ତୁ କାରଣ