ଓଡିଶା

odisha

ETV Bharat / bharat

ମିଶନ ‘ଗଗନଯାନ’: ଡିସେମ୍ବରରେ ହେବ ପ୍ରଥମ ଫ୍ଲାଇଟ ଟେଷ୍ଟ୍‌ ! 2025 ସୁଦ୍ଧା ମହାକାଶରେ ପହଞ୍ଚିବେ ଭାରତୀୟ - India Human Space Mission - INDIA HUMAN SPACE MISSION

GAGANYAAN: ଆଗେଇ ଚାଲିଛି ମିଶନ ‘ଗଗନଯାନ’ ପ୍ରସ୍ତୁତି । ଥିରୁଅନନ୍ତପୁରମରେ କ୍ର୍ୟୁ ମଡ୍ୟୁଲର ଇଣ୍ଟିଗ୍ରେସନ ସାଙ୍ଗକୁ ଶ୍ରୀଗରିକୋଟାରେ ଚାଲିଛି ରକେଟ କାମ । ଚଳିତବର୍ଷ ଡିସେମ୍ବର ଶେଷ ସୁଦ୍ଧା ହେବ ପ୍ରଥମ ଫ୍ଲାଇଟ ଟେଷ୍ଟ । ଆସନ୍ତାବର୍ଷ ମହାକାଶ ପହଞ୍ଚିବେ ଭାରତୀୟ । ଅଧିକ ପଢନ୍ତୁ

ମିଶନ ‘ଗଗନଯାନ’: ଡିସେମ୍ବରରେ ହେବ ପ୍ରଥମ ଫ୍ଲାଇଟ ଟେଷ୍ଟ୍‌ !
ମିଶନ ‘ଗଗନଯାନ’: ଡିସେମ୍ବରରେ ହେବ ପ୍ରଥମ ଫ୍ଲାଇଟ ଟେଷ୍ଟ୍‌ ! (ETV Bharat Odisha)

By ETV Bharat Odisha Team

Published : Aug 17, 2024, 12:41 PM IST

ହାଇଦ୍ରାବାଦ: ଭାରତର ପ୍ରଥମ ମାନବ ମହାକାଶ ମିଶନ ‘ଗଗନଯାନ’ ସମ୍ପର୍କରେ ବଡ ସୂଚନା ଦେଇଛନ୍ତି ‘ଇସ୍ରୋ’ ମୁଖ୍ୟ । ଚଳିତବର୍ଷ ଡିସେମ୍ବେର ଶେଷ ସୁଦ୍ଧା ମିଶନର ପ୍ରଥମ ପ୍ରଥମ ଫ୍ଲାଇଟ ଟେଷ୍ଟ ହୋଇପାରେ । ଏଥିପାଇଁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ‘ଇସ୍ରୋ’ ପ୍ରସ୍ତୁତି ଜାରି ରଖିଛି । ଇସ୍ରୋ ମୁଖ୍ୟ ଏସ.ସୋମନାଥଙ୍କ କହିବା ଅନୁସାରେ, ମିଶନର କ୍ର୍ୟୁ ମଡ୍ୟୁଲର ଯନ୍ତ୍ରାଂଶ ଇଣ୍ଟିଗ୍ରେସନ କାମ ଥିରୁଅନନ୍ତପୁରମରେ ସ୍ଥିତ ବିକ୍ରମ ସରାଭାଇ ମହାକାଶ କେନ୍ଦ୍ରରେ ଜାରି ରହିଛି । ସେହିପରି ଏହାକୁ ଉତପେକ୍ଷଣ କରିବାକୁ ଥିବା ରକେଟର କାମ ଆନ୍ଧ୍ର ପ୍ରଦେଶର ସତୀଶ ଧାଓ୍ବନ ସ୍ପେସ ସେଣ୍ଟରରେ ଜାରି ରହିଛି ।

  • ଗଗନଯାନ ସମ୍ପର୍କରେ କଣ କହିଲେ ଇସ୍ରୋ ମୁଖ୍ୟ:-
    ମିଶନ ‘ଗଗନଯାନ’ର କ୍ର୍ୟୁ ମଡ୍ୟୁଲ (ETV Bharat Odisha)

ଗତକାଲି ଶ୍ରୀହରିକୋଟାରୁ ଭୂ-ନିରୀକ୍ଷଣ ଉପଗ୍ରହ (EOS-08)ର ସଫଳ ଉତକ୍ଷେପଣ କରି ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି ‘ଇସ୍ରୋ’ । ଏହି ଅବସରରେ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସୋମନାଥ ସଂସ୍ଥାର ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଦେବା ସହ ଭାରତର ପ୍ରଥମ ତଥା ବହୁପ୍ରତୀକ୍ଷିତ ମାନବ ମହାକାଶ ମିଶନ ‘ଗଗନଯାନ’ ସମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ । ସୋମନାଥ କହଥିଲେ, ଏହି ମିଶନରେ ବ୍ୟବହାର ହେବାକୁ ଥିବା ରେକଟର 3 ଷ୍ଟେଜସ ଶ୍ରୀହରିକୋଟାରେ ପହଞ୍ଚି ସାରିଛି । ହ୍ୟୁମାନ ମଡ୍ୟୁଲ ବା କ୍ର୍ୟୁ ମଡ୍ୟୁଲର ଯନ୍ତ୍ରାଂଶ ଏକତ୍ରୀକରଣ କାମ ବିକ୍ରମ ସରାଭାଇ ସ୍ପେସ ସେଣ୍ଟରରେ ଜାରି ରହିଛି । ଏହି ରକେଟର କୋଡ ନାମ ରଖାଯାଇଛି ‘ଜି-1’। ନଭେମ୍ବର ସୁଦ୍ଧା ମିଶନର ସମସ୍ତ ମଡ୍ୟୁଲ ଓ ଉପକରଣ ଶ୍ରୀହରିକୋଟାରେ ପହଞ୍ଚିବ । ସମସ୍ତ ପ୍ରକ୍ରିୟା ଶେଷ କରି ଡିସେମ୍ବର ମଧ୍ୟରେ ପ୍ରଥମ ଫ୍ଲାଇଟ ଟେଷ୍ଟ୍‌ କରିବାକୁ ଲକ୍ଷ୍ୟ ରଖାଯାଇଛି ।

  • ଗତବର୍ଷ କ୍ର୍ୟୁ ମଡ୍ୟୁଲର ହୋଇଥିଲା ସଫଳ ପରୀକ୍ଷଣ:-

ଗତବର୍ଷ (2023) ଅକ୍ଟୋବର 22 ତାରିଖରେ ଆନ୍ଧ୍ର ପ୍ରଦେଶର ଶ୍ରୀହରୀକୋଟା ମହାକାଶ କେନ୍ଦ୍ରରୁ ‘ଗଗନଯାନ’ କ୍ର୍ୟୁ ମଡ୍ୟୁଲର ପରୀକ୍ଷଣ ସଫଳ ହୋଇଥିଲା । ଏକ ରକେଟ ସାହାଯ୍ୟରେ କ୍ରୁ ମଡ୍ୟୁଲକୁ ଉତକ୍ଷେପଣ କରାଯାଇଥିଲା । ଏହା 17 କି.ମି ଉପରକୁ ଉଠି ପାରାସୁଟ୍‌ ମାଧ୍ୟମରେ ବଙ୍ଗୋପସାଗରରେ ଖସିଥିଲା । ଉତକ୍ଷେପଣର 11.9 କିଲୋମିଟର ଉଚ୍ଚରେ କ୍ର୍ୟୁ ମଡ୍ୟୁଲ ‘ଟିଭି ଡି-1’ ରେ ରହିଥିବା ପାରାସୁଟ୍‌ ଖୋଲିଥିଲା । ଏହା ସାହାଯ୍ୟରେ ସଫଳତାର ସହିତ ବଙ୍ଗୋପସାଗର ଜଳରାଶିରେ ଏହା ଅବତରଣ କରିଥିଲା । ପୂର୍ବ ସମନ୍ବିତ ଯୋଜନା ଅନୁଯାୟୀ ପ୍ରସ୍ତୁତ ଥିବା ଭାରତୀୟ ନୌସେନାର ଏକ୍‌ ଟିମ୍‌ ଏହି କ୍ର୍ୟୁ ମଡ୍ୟୁଲକୁ ଉଦ୍ଧାର କରି ଇସ୍ରୋକୁ ହସ୍ତାନ୍ତର କରିଥିଲା ।

2023 ରେ ମିଶନ ‘ଗଗନଯାନ’ର ପ୍ରଥମ କ୍ର୍ୟୁ ମଡ୍ୟୁଲ ଟେଷ୍ଚ (ETV Bharat Odisha)
  • ଭାରତର ମହାକାଶ ସଫଳତା:-

ଏକବିଂଶ ଶତାବ୍ଦୀର ତୃତୀୟାର୍ଦ୍ଧରେ ଭାରତ ଏକ ପ୍ରମୁଖ ମହାକାଶ ଶକ୍ତି ଭାବେ ଉଭା ହୋଇଛି । ଭାରତର ବହୁପ୍ରତୀକ୍ଷିତ ‘ଚନ୍ଦ୍ରଯାନ-3’ ମିଶନ ଗତବର୍ଷ ଅଗଷ୍ଟରେ ସଫଳ ହୋଇସାରିଛି । ଚନ୍ଦ୍ରର ଅଣଆବିସ୍କୃତ ତଥା ଆହ୍ବାନପୂର୍ଣ୍ଣ କୁହାଯାଉଥିବା ଦକ୍ଷିଣ ମେରୁରେ ଭାରତ ବିଶ୍ବର ପ୍ରଥମ ରାଷ୍ଟ୍ର ଭାବେ ଅବତରଣ କରି ଇତିହାସ ସୃଷ୍ଟି କରିଛି । ସେହିପରି ଚନ୍ଦ୍ରପୃଷ୍ଠରେ ଅବତରଣ କରିବାରେ ଭାରତ ବିଶ୍ବର 4ର୍ଥ ରାଷ୍ଟ୍ର ଭାବେ ଅନ୍ୟତମ ରେକର୍ଡର ଅଧିକାରୀ ମଧ୍ୟ ହୋଇଛି । ଏହା ପରେ ଭାରତ ନିଜର ପ୍ରଥମ ସୂର୍ଯ୍ୟ ମିଶନ ‘ଆଦିତ୍ୟ ଏଲ-1’ ମଧ୍ୟ ସଫଳତାର ସହ ଉତକ୍ଷେପଣ କରିସାରିଛି । ଏହା ଏବେ ଏଲ-1 ପଏଣ୍ଟରେ ରହି ସୂର୍ଯ୍ୟଙ୍କୁ ଅନୁଧ୍ୟାନ କରି ଇସ୍ରୋକୁ ତଥ୍ୟ ପ୍ରେରଣ ଜାରି ରଖିଛି ।

ମିଶନ ‘ଗଗନଯାନ’ ପାଇଁ ଚୟନ ହୋଇଥିବା ଆଷ୍ଟ୍ରୋନଟ ଓ୍ବିଙ୍ଗ୍ସ (ETV Bharat Odisha)

‘ଗଗନଯାନ’ ମିଶନ କଣ :-

ଗୋଟିଏ ପରେ ଗୋଟିଏ ମହାକାଶ ସଫଳତା ପରେ ଭାରତ ମାନବ ମହାକାଶ ମିଶନ ଆରମ୍ଭ କରିବାକୁ ଯାଉଛି । ଯାହାର ନାମ ରଖାଯାଇଛି ‘ଗଗନଯାନ’ । 2025 ମସିହା ସୁଦ୍ଧା ଭାରତୀୟ ମହାକାଶଚାରୀ ମହାକାଶ କ୍ଷାତ୍ରା କରି ଭୂପୃଷ୍ଠକୁ ଫେରିବେ । ଏଥିପାଇଁ ମହାକାଶଚାରୀଙ୍କୁ ଚୟନ ମଧ୍ୟ କରାଯାଇ ସାରିଛି । ଭାରତୀୟ ବାୟୁସେନାର ଅଭିଜ୍ଞ ପାଇଲଟଙ୍କୁ ଏଥିପାଇଁ ଚୟନ କରାଯାଇ ସ୍ବତନ୍ତ୍ର ପ୍ରଶିକ୍ଷଣ ପ୍ରୋଗ୍ରାମରେ ରଖାଯାଇଛି । ଏହି ୟୁନିଟକୁ ବାୟୁସେନାର ‘ଆଷ୍ଟ୍ରୋନଟ ଓ୍ବିଙ୍ଗ’ ଭାବେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଘୋଷଣା କରାଯାଇଛି । ଏହି ମିଶନ ଏବେ ଇସ୍ରୋର ପ୍ରମୁଖ ମିଶନ ହେବାକୁ ଯାଉଛି । ଏହାର କ୍ର୍ୟୁ ମଡ୍ୟୁଲର ପରୀକ୍ଷଣ ସଫଳ ହୋଇସାରିଛି । ଏବେ ଅନ୍ୟାନ୍ୟ ପ୍ରକ୍ରିୟା ଶେଷ କରି ଡିସେମ୍ବର ସୁଦ୍ଧା ପ୍ରଥମ ଫ୍ଲାଇଟ ଟେଷ୍ଟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଆସନ୍ତାବର୍ଷ କୌଣସି ସମୟରେ ଏହି ମିଶନକୁ ଚୂଡାନ୍ତ ରୂପ ଦିଆଯାଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details