ଗୌହାଟୀ:କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଏଫଆଇଆର ରୁଜୁ । ଏବେ ଆସାମରେ କଂଗ୍ରେସର ଭାରତ ଯୋଡ ନ୍ୟାୟ ଯାତ୍ରା ଚାଲିଥିବା ବେଳେ ସେଠାରେ ହିଂସା ସୃଷ୍ଟି କରିବା, ଭିଡକୁ ଉସକାଇବା ଏବଂ ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରିବା ଅଭିଯୋଗରେ ଏହି ମାମଲା ରୁଜୁ ହୋଇଛି । ରାହୁଲଙ୍କ ସମେତ କେସି ବେଣୁଗୋପାଳ, କହ୍ନୈୟା କୁମାର ଏବଂ ଅନ୍ୟ କଂଗ୍ରେସ ନେତାଙ୍କ ବିରୋଧରେ ମାମଲା ହୋଇଛି । ମଙ୍ଗଳବାର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ନିର୍ଦ୍ଦେଶ ପରେ ଆସାମ ପୋଲିସ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ସୂଚନା ଥାଉକି, ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ମଣିପୁରରୁ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡ ନ୍ୟାୟ ଯାତ୍ରା ଏବେ ଆସାମରେ ପ୍ରବେଶ କରିଛି । ତେବେ ଆସାମରେ ଯାତ୍ରା ଆରମ୍ଭ ପରଠୁ ସେଠାରେ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଛି । ଏହାରି ମଧ୍ୟରେ ଗତକାଲି(ମଙ୍ଗଳବାର) ନ୍ୟାୟ ଯାତ୍ରା ସମୟରେ ଗୌହାଟୀରେ କଂଗ୍ରେସ କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । କଂଗ୍ରେସ ଗୌହାଟୀର ମୁଖ୍ୟ ମାର୍ଗ ଦେଇ ନ୍ୟାୟ ଯାତ୍ରା ପାଇଁ ଅନୁମତି ମାଗିଥିଲା । ହେଲେ ଆସାମ ସରକାର ଅନୁମତି ଦେଇନଥିଲେ । କଂଗ୍ରେସ ନେତାଙ୍କୁ ସହରର ମୁଖ୍ୟ ମାର୍ଗରେ ପ୍ରବେଶ କରିବାରୁ ରୋକିବାକୁ ହାଇୱେରେ ପୋଲିସ ବ୍ୟାରିକେଡ୍ ଲଗାଇଥିଲା । ଏଥିରେ ଉତ୍ୟକ୍ତ ହୋଇ କଂଗ୍ରେସ କର୍ମୀମାନେ ବ୍ୟାରିକେଡ୍ ଭାଙ୍ଗି ଦେଇଥିଲେ । ଫଳରେ ପୋଲିସ ସହ ମୁହାଁମୁହିଁ ହୋଇଥିଲା । ଏହି ସଂଘର୍ଷରେ ୪ ପୋଲିସ କର୍ମୀ ଆହତ ହୋଇଥିବା ଗୌହାଟୀ ପୋଲିସ କମିଶନର ଦିଗନ୍ତ ବୋରା ସୂଚନା ଦେଇଛନ୍ତି ।