ଡେରାଡୁନ:ଏକକ ନାଗରିକ ସଂହିତା (UCC) କାର୍ଯ୍ୟକାରୀ କରିବା ପ୍ରକ୍ରିୟାରେ ପ୍ରଥମରୁ ରାଜ୍ୟମାନଙ୍କ ମଧ୍ୟରେ ବିଜେପି ଶାସିତ ଉତ୍ତର ରାଜ୍ୟ ଉତ୍ତରାଖଣ୍ଡ ଆଗରେ ରହିଛି । ଉତ୍ତରାଖଣ୍ଡର ଧାମି ସରକାର ଏହି ଦିଗରେ ଏକ ବିଶେଷଜ୍ଞ କମିଟି ଗଠନ କରି ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ କରିଥିଲେ । ଏବେ ଏହି ପ୍ରକ୍ରିୟା କାର୍ଯ୍ୟାନ୍ବୟନ ଆଡକୁ ଆଉ ପାଦେ ବଢିଛି । କାରଣ ପୂର୍ବତନ ବିଚାରପତି ରଞ୍ଜନା ଦେଶାଇଙ୍କ ନେତୃତ୍ବରେ ରାଜ୍ୟ ସରକାର ଗଠନ କରିଥିବା ଉଚ୍ଚସ୍ତରୀୟ କମିଟି ନିଜ କାମ ଶେଷ କରିସାରିଛି । ଏହି ବିଲ୍ ସମ୍ପର୍କରେ କମିଟି ଏକ ଚିଠି ପ୍ରସ୍ତାବ ବା ଡ୍ରାଫ୍ଟ ମଧ୍ୟ ପ୍ରସ୍ତୁତ କରିସାରିଛି । ଏହାକୁ ଆସନ୍ତାମାସ (ଫେବୃଆରୀ) 2 ତାରିଖରେ ସରକାରଙ୍କୁ ପ୍ରଦାନ କରାଯିବ । ଏହା ପରେ ଏହାକୁ ଲାଗୁ କରିବା ଦିଗରେ କ୍ୟାବିନେଟ ବୈଠକରେ ଚର୍ଚ୍ଚା ହେବ ଓ ପରେ ବିଧାନସଭାରେ ଏହାକୁ ଆଗତ କରାଯିବ ।
ଉତ୍ତରାଖଣ୍ଡରେ ବିଜେପି ନିର୍ବାଚନ ଲଢ଼ିବା ବେଳେ ରାଜ୍ୟରେ ଏକକ ନାଗରିକ ସଂହିତା କାର୍ଯ୍ୟକାରୀ କରିବା ନେଇ ଇସ୍ତାହାରରେ ମଧ୍ୟ ଘୋଷଣା କରିଥିଲା । ରାଜ୍ୟରେ ଦ୍ବିତୀୟ ଥର ଧାମି ସରକାର ଗଠନ ହେବା ପରେ ଏନେଇ ପ୍ରକ୍ରିୟା ଆରମ୍ଭ ହେଲା । ସୁପ୍ରିମକୋର୍ଟର ପୂର୍ବତନ ତଥା ଅବସରପ୍ରାପ୍ତ ବିଚାରପତି ରଞ୍ଜନା ଦେଶାଇଙ୍କ ନେତୃତ୍ବରେ ସରକାର ଏକ 5ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ । ଏକକ ନାଗରିକ ସଂହିତାର ଲାଗୁ ନେଇ ଅନୁଧ୍ୟାନ କରିବା ଓ ଏହାର କାର୍ଯ୍ୟକାରିତା ସମ୍ପର୍କରେ ସରକାରଙ୍କୁ ଏକ ସୁପାରିଶ ରିପୋର୍ଟ ଦାଖଲ କରିବା ପାଇଁ ଏହି କମିଟି ସର୍ଭେ ଆରମ୍ଭ କଲା । ଗତ କିଛି ମାସ ହେବ କାର୍ଯ୍ୟ ଜାରି ରଖିଥିବା ଏହି କମିଟି ତାର ସର୍ଭେ ଶେଷ କରିସାରିଛି । ଏକକ ନାଗରିକ ସଂହିତାର କାର୍ଯ୍ୟକାରିତା ନେଇ ଏକ ଚୂଡାନ୍ତ ଚିଠା ପ୍ରସ୍ତାବ ମଧ୍ୟ ପ୍ରସ୍ତୁତ କରିସାରିଛି ।