ହାଇଦ୍ରାବାଦ: ସାଧାରଣ ନିର୍ବାଚନ ପୂର୍ବରୁ ତେଲେଙ୍ଗାନାରେ ଚର୍ଚ୍ଚା ସୃଷ୍ଟି କରିଥିବା ଫୋନ ଟ୍ୟାପିଂ ମାମଲାରେ ରାଜ୍ୟର ପୂର୍ବତନ ଗୁଇନ୍ଦା ବିଭାଗ ମୁଖ୍ୟ ଟି.ପ୍ରଭାକର ରାଓଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି । କେସିଆରଙ୍କ ନେତୃତ୍ବାଧୀନ ବିଆରଏସ ସରକାର ସମୟରେ ଅଧିକାରୀ ରାଓଙ୍କ ନିର୍ଦ୍ଦେଶରେ ଏହି ଟ୍ୟାପିଂ ହୋଇଛି । ଏଥିରେ ଏକାଧିକ ପୋଲିସ ଅଧିକାରୀଙ୍କ ସମ୍ପୃକ୍ତି ମଧ୍ୟ ସାମ୍ନାକୁ ଆସିଛି । ଏଥିରେ ବିରୋଧୀ ଦଳର ନେତାଙ୍କ ଫୋନକଲ ଟ୍ୟାପିଂ କରାଯାଇଛି ଡିଜିଟାଲ ଡାଟା ଏକାଠି କରାଯାଇଥିବା ଅଭିଯୋଗ ହୋଇଛି ।
ଏବେ ପୂର୍ବତନ ଅଧିକାରୀ ରାଓ ଆମେରିକାରେ ଥିବା ମଧ୍ୟ ଚର୍ଚ୍ଚା ହେଉଛି । ସେ ଦେଶରେ ନଥିବା ସନ୍ଦେହରେ ତାଙ୍କ ନାମରେ ଲୁକଆଉଟ ନୋଟିସ ଜାରି କରାଯାଇଛି । ହାଇଦ୍ରାବାଦରେ ରାଓଙ୍କ ବାସଭବନ ସମେତ ଏକାଧିକ ସ୍ଥାନରେ ମଧ୍ୟ ଚଢାଉ କରାଯାଇଛି । ଏକ ତେଲଗୁ ନ୍ୟୁଜ ଚ୍ୟାନେଲର ମୁଖ୍ୟ ଶ୍ରବଣ ରାଓଙ୍କ ଭୂମିକା ଥିବା ମଧ୍ୟ ସନ୍ଦେହ କରାଯାଉଛି । ତାଙ୍କ ବାସଭବନରେ ମଧ୍ୟ ସର୍ଚ୍ଚ କରିଛି ହାଇଦ୍ରାବାଦ ପୋଲିସ । ଶ୍ରବଣ ରାଓଙ୍କ ସମ୍ପର୍କରେ ମଧ୍ୟ କୌଣସି ସ୍ପଷ୍ଟ ତଥ୍ୟ ପୋଲିସ ନିକଟରେ ନାହିଁ । ସେ ମଧ୍ୟ ବିଦେଶ ପଳାଇଥିବା ସନ୍ଦେହ କରାଯାଉଛି ।