ହାଇଦ୍ରାବାଦ:ଉଚ୍ଚସଦନ ରାଜ୍ୟସଭାର 12ଟି ଖାଲି ପଡିଥିବା ଆସନରେ ଉପନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତ ନିର୍ବାଚନ ଆୟୋଗ । ସେପ୍ଟେମ୍ବର 3 ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଅଗଷ୍ଟ 27 ରହିଛି । ନିର୍ବାଚନ ହେବାକୁ ଯାଉଥିବା ଏହି ଆସନ ମଧ୍ୟରେ ଓଡିଶାର ଗୋଟିଏ ଆସନ ରହିଛି । ରାଜ୍ୟସଭା ସାଂସଦ ପଦରୁ ପୂର୍ବତନ ବିଜେଡି ନେତ୍ରୀ ମମତା ମହାନ୍ତଙ୍କର ଇସ୍ତଫା ପରେ ଖାଲି ପଡିଥିବା ଗୋଟିଏ ଆସନରେ ଏହି ପର୍ଯ୍ୟାୟରେ ନିର୍ବାଚନ ହେବ ।
ଏହି ତାଲିକାରେ ଆସାମ, ମହାରାଷ୍ଟ୍ର ଓ ବିହାରର ଦୁଇଟି ଲେଖାଏଁ ଆସନ ଥିବା ବେଳେ ଓଡିଶା, ତେଲେଙ୍ଗାନା, ତ୍ରିପୁରା ,ରାଜସ୍ଥାନ, ତେଲେଙ୍ଗାନା, ହରିୟାଣ ଓ ରାଜସ୍ଥାନର ଗୋଟିଏ ଲେଖାଏଁ ଆସନ ରହିଛି । ଏହି 12 ଆସନ ମଧ୍ୟରୁ 10ଟି ଆସନରେ ସଦସ୍ୟ ଥିବା ସାଂସଦମାନେ ସାଧାରଣ ନିର୍ବାଚନ ଲଢି ନିମ୍ନସଦନ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି ।ଏମାନଙ୍କ ମଧ୍ୟରେ ପୀୟୂଷ ଗୋଏଲ, ସର୍ବାନନ୍ଦ ସୋନୱାଲ ଓ ଜ୍ୟୋତିରାଦିତ୍ୟ ସିନ୍ଦିଆ ପ୍ରମୁଖ ରହିଛନ୍ତି । ଓଡିଶା ଓ ତେଲେଙ୍ଗାନାର ଦୁଇ ସଦସ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।
ଅଗଷ୍ଟ 14 ତାରିଖରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବା ସହ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେବ ।
21 ତାରିଖରେ ନାମାଙ୍କନ ଦାଖଲ ଶେଷ ହେବ ।
22ରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ ।
26 ଓ 27 ତାରିଖ ନାମାଙ୍କନ ପ୍ରତ୍ୟାହାର ପାଇଁ ଶେଷ ତାରିଖ
26 ତାରିଖରେ ଆସାମ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର ଓ ତ୍ରିପୁରା ପାଇଁ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଥିବା ବେଳେ ପରଦିନ ଅର୍ଥାତ 27 ତାରିଖରେ ଓଡିଶା, ବିହାର, ହରିୟାଣା, ରାଜସ୍ଥାନ ଓ ତେଲେଙ୍ଗାନାର ପ୍ରାର୍ଥୀମାନଙ୍କ ପାଇଁ ପ୍ରତ୍ୟାହାରର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି ।
ସେପ୍ଟେମ୍ବର 3 ତାରିଖରେ ପୂର୍ବାହ୍ନ 9ଟାରୁ ଅପରାହ୍ନ 4ଟା ମଧ୍ୟରେ ମତଦାନ ଶେଷ ହେବ । ଭୋଟିଂ ଶେଷ ହେବା ପରେ ସେହିଦିନ ସଂଧ୍ୟାରେ ଗଣତି ପ୍ରକ୍ରିୟା ମଧ୍ୟ ଶେଷ ହେବ ।
ଏହା ମଧ୍ୟ ପଢନ୍ତୁ :- ରାଜନୀତି ପାରା ବଢାଇଲା ମମତାଙ୍କ ଇସ୍ତଫା: ବିଜେପି କହିଲା ଫିଲ୍ମ ଅଭି ବାକି ହୈ, ବିଜେଡି ଦେଲା ବଡ଼ ବୟାନ - Politics On MAMATA MOHANTA RESIGN
- ଇସ୍ତଫା ଦେଇ ବିଜେପିରେ ମିଶିଛନ୍ତି ପୂର୍ବତନ ବିଜେଡି ନେତ୍ରୀ ମମତା ମହାନ୍ତ
ଓଡିଶାର 10 ରାଜ୍ୟସଭା ଆସନ ମଧ୍ୟରୁ 9ଟି ବିଜେଡି ଦଖଲରେ ଥିବା ବେଳେ ଗୋଟିଏ ଭାରତୀୟ ଜନତା ପାର୍ଟି ଖାତାରେ ଥିଲା । ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଜୁଲାଇ 31 ତାରିଖରେ ବିଜେଡି ସାଂସଦ ମମତା ମହାନ୍ତ ଉଭୟ ରାଜ୍ୟସଭା ସଦସ୍ୟତା ଓ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ । ପରେ ସେ ବିଜେପିରେ ସାମିଲ ହୋଇଥିଲେ । ଏବେ ଏହି ଗୋଟିଏ ଆସନରେ ନିର୍ବାଚନ ହେବାକୁ ଯାଉଛି । ମମତାଙ୍କ ସ୍ଥାନ କି’ଏ, ନେବେ ସେ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି । ବିଧାନସଭା ନିର୍ବାଚନରେ ବିଜେପି ଐତିହାସିକ ବିଜୟ ଲାଭ କରି ରାଜ୍ୟରେ ଏକକୀ ସରକାର ଗଠନ କରିଛି । ତେଣୁ ସଂଖ୍ୟା ଦୃଷ୍ଟିରୁ ଏହି ଆସନ ଏବେ ବିଜେପି ଖାତାକୁ ଯାଇପାରେ । ଏପରି ସ୍ଥଳେ ରାଜ୍ୟରେ ବିଜେପି ରାଜ୍ୟସଭା ସାଂସଦଙ୍କ ସଂଖ୍ୟା ଦୁଇକୁ ବୃଦ୍ଧି ହୋଇପାରେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ