ଡେରାଡୁନ:ଆଜି ଉତ୍ତରାଖଣ୍ଡରେ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ହରକ ସିଂ ରାଓ୍ବତଙ୍କ ବାସଭବନ ସମେତ ଏକାଧିକ ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢାଉ ଜାରି ରଖିଛି । ଓଡିଆ ଭାରତୀୟ ବନ ସେବା ଅଧିକାରୀ (ଆଇଏଏଫଏସ) ସୁଶାନ୍ତ ପଟ୍ଟନାୟକଙ୍କ ସରକାରୀ ବାସଭବନ ସମେତ ଏକାଧିକ ସ୍ଥାନରେ ମଧ୍ୟ ଏକାକାଳୀନ ଚଢାଉ ଜାରି ରହିଛି । ସୁଶାନ୍ତଙ୍କ ବାସଭବନରୁ କୋଟିଏରୁ ଅଧିକ ନଗଦ ଟଙ୍କା ତଦନ୍ତକାରୀ ସଂସ୍ଥା ଜବତ କରିଥିବା ସୂଚନା ମିଳିଛି । ଟଙ୍କା ଗଣିବା ପାଇଁ ଇଡି କାଉଣ୍ଟିଂ ମେସିନ ସହ ସୁଶାନ୍ତଙ୍କ ବାସଭବନରେ ପହଞ୍ଚିଛି ।
ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଜି ପୂର୍ବାହ୍ନରୁ କେନ୍ଦ୍ରୀୟ ସଂସ୍ଥାର ଏକାଧିକ ଟିମ୍ ପୂର୍ବତନ ମନ୍ତ୍ରୀ ହରକ ସିଂ ରାଓ୍ବତଙ୍କ ଏକାଧିକ ଠିକଣା ସହ ଅଧିକାରୀ ସୁଶାନ୍ତଙ୍କ ବାସଭବନରେ ପହଞ୍ଚିଥିଲା । ସୁଶାନ୍ତଙ୍କୁ ବର୍ତ୍ତମାନ ଜେରା କରାଯାଉଛି । ଟଙ୍କା ଗଣିବା ପାଇଁ ସଂସ୍ଥା କାଉଣ୍ଟିଂ ମେସିନ ଧରି ପହଞ୍ଚିଥିବାରୁ ମୋଟା ଅଙ୍କର ନଗଦ ଟଙ୍କା ଜବତ କରାଯାଇଥିବା ସନ୍ଦେହ କରାଯାଉଛି । ଏହା ସହ ସୁଶାନ୍ତଙ୍କ ଗିରଫଦାରୀ ଆଶଙ୍କା ମଧ୍ୟ ବଢିଛି । ଆବଶ୍ୟକ ପଡିଲେ, ସେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଆଜି ସଂଧ୍ୟା ସୁଦ୍ଧା ଗିରଫ ହୋଇପାରନ୍ତି ।