ହାଇଦ୍ରାବାଦ:ଗିରଫ ହେଲେ BRS ଏମଏଲସି କେ କବିତା । ତେଲେଙ୍ଗାନା ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କବିତାଙ୍କୁ ଗିରଫ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଚଢାଉ କରିଥିଲା ଇଡି । ହାଇଦ୍ରାବାଦର ବଞ୍ଜାରା ହିଲ୍ସ ସ୍ଥିତ ବାସଭବନରେ ଚଢାଉ ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିମ୍ । 10 ଟିମ ଏହି ଚଢାଉରେ ସାମିଲ ହୋଇଥିବା ନେଇ ସୂଚନା ରହିଛି । ତେବେ ଚଢାଉ ସମୟରେ ବାସଭବନକୁ ଅନ୍ୟ କାହାର ପ୍ରବେଶକୁ ବାରଣ କରାଯାଇଥିଲା । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ଏବଂ ଇଡି ଦ୍ବାରା ଜେରା ହୋଇଥିଲେ କବିତା ।
ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାକୁ ନେଇ ଇଡି ଏବଂ ଆଇଟି ଅଧିକାରୀମାନେ ମିଳିତ ଭାବେ କବିତାଙ୍କ ବାସଭବନରେ ଚଢାଉ ଜାରି ରଖିଛନ୍ତି । ଏହା ପୂର୍ବରୁ କବିତାଙ୍କୁ ପ୍ରାୟ 9 ଘଣ୍ଟା ଜେରା କରାଯାଇଥିଲା । ଇଡି କବିତାଙ୍କୁ ସାଉଥ ଗ୍ରୁପର ଏକ ଅଂଶ ବୋଲି ଅଭିହିତ କରିଛି । ଇଡିର ଅଭିଯୋଗ ଅନୁଯାୟୀ, ସାଉଥ୍ ଗ୍ରୁପ ନୂଆ ଅବକାରୀ ନୀତି ଲାଗୁ ସମୟରେ ଆପ୍ ସରକାରଙ୍କୁ ୧୦୦ କୋଟି ଟଙ୍କା ଦେଇଥିଲା । ଆଉ MLC କବିତା ଏହି ଗୃପର ପ୍ରମୁଖ ସଦସ୍ୟ ଥିବା ଇଡି ଦାବି କରିଥିଲା । ଦୁର୍ନୀତି ଚାଲିଥିବା ସମୟର ପ୍ରମାଣ ନଷ୍ଟ କରିବା ପାଇଁ ୧.୩୮ କୋଟି ଟଙ୍କାର ମୋଟ ୧୭୦ଟି ଫୋନ ନଷ୍ଟ କରାଯାଇଥିଲା । ଏହାମଧ୍ୟରୁ ୧୦ଟି ଫୋନ କବିତାଙ୍କର ଥିଲା । ତେଣୁ ଏହି ଦୁର୍ନୀତିରେ ତାଙ୍କର ସମ୍ପୃକ୍ତି ଥିବା ନେଇ କେତେକ ପ୍ରମାଣ ମିଳିବା ପରେ ତାଙ୍କୁ ଜେରା କରିବାକୁ ସମନ କରାଯାଇଥିଲା । ତେବେ ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ବିଆରଏସ ଏମଏଲସି ତଥା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କବିତାଙ୍କୁ ପଚରାଉଚରା କରିବା ସହ ତାଙ୍କ ପୂର୍ବତନ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ବୁଚିବାବୁ ଗୋରାଣ୍ଟଲାଙ୍କୁ ମଧ୍ୟ ପଚରାଉଚରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାୟ ।