ନୂଆଦିଲ୍ଲୀ:ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ବନ୍ଦୀ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ । ଜେଲରେ କେଜ୍ରିୱାଲ ଜାଣିଶୁଣି ଆଳୁ, ମିଠା, ଆମ୍ବ ଆଦି ଖାଉଥିବା ଇଡି ଅଭିଯୋଗ କରିଛି । ଯାହାଦ୍ବାରା ସେ ଶରୀରର ସୁଗାର ମାତ୍ରା ବଢୁଥିବାକୁ ନେଇ ମେଡିକାଲ ଚିକିତ୍ସା ଆଳ ଦେଖାଇ ଜାମିନ ଆବେଦନ କରିପାରିବେ । ରାଉଜ ଆଭେନ୍ୟୁ କୋର୍ଟରେ ଇଡି ଏଭଳି ଅଭିଯୋଗ ଆଣିବା ପରେ କେଜ୍ରିୱାଲଙ୍କ ଡାଏଟ ଚାର୍ଟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ 19 ତାରିଖରେ ହେବାକୁ ତାରିଖ ଧାର୍ଯ୍ୟ ହୋଇଛି ।
'ଜାଣିଶୁଣି ମିଠା ଖାଉଛନ୍ତି କେଜ୍ରିୱାଲ':-ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶରୀରର ସୁଗାର ମାତ୍ରାର ନିୟମିତ ଯାଞ୍ଚ କରିବା ପାଇଁ କୋର୍ଟଙ୍କ ଅନୁମତି ଲାଗି ଏକ ଆବେଦନ କରିଥିଲେ । ଏହା ଉପରେ ଆଜି ଶୁଣାଣି ହୋଇଥିଲା । ଶୁଣାଣି ସମୟରେ ଇଡି ପକ୍ଷରୁ ଆଇନଜୀବୀ ଜୋହେବ ହୁସୈନ କହିଥିଲେ, "ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଶରୀରର ସୁଗାର ମାତ୍ରା ବଢାଇବା ଲାଗି ଘର ଆସୁଥିବା ଖାଦ୍ୟ ଖାଉଛନ୍ତି । ତାଙ୍କୁ ଘରରୁ ଆଳୁ ପୁରୀ, ଆମ୍ବ, ମିଠା ଓ ମିଠା ଜାତୀୟ ଖାଦ୍ୟ ଦିଆଯାଉଛି । ମେଡିକାଲ ଯାଞ୍ଚ ଲାଗି ଜାମିନ ଆବେଦନ ପାଇଁ ଏପରି ଜାଣିଶୁଣି କରୁଛନ୍ତି କେଜ୍ରିୱାଲ ।" ଏହାପରେ କୋର୍ଟ ତିହାର ଜେଲକୁ କେଜ୍ରିୱାଲଙ୍କ ଡାଏଟ ଚାର୍ଟ ପ୍ରଦାନ କରିବା ଲାଗି ସମନ ଜାରି କରିଛନ୍ତି ।
ଏହା ବି ପଢନ୍ତୁ- ମଦ ଦୁର୍ନୀତି ମାମଲା; ଦିଲ୍ଲୀ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟ ଗଲେ କେଜ୍ରିୱାଲ