ହାଇଦ୍ରାବାଦ:ଜାରି ରହିଛି ଜଗତଜନନୀ ଦେବୀ ଦୁର୍ଗାଙ୍କ ଶାରଦୀୟ ନବରାତ୍ରୀ ପୂଜା । ଘଣ୍ଟ ଘଣ୍ଟା ଶଙ୍ଖନାଦ ଓ ମନ୍ତ୍ର ଧ୍ବନୀରେ କମ୍ପୁଛି ଶକ୍ତିପୀଠ ଓ ପୂଜା ମଣ୍ଡପ । ନବରାତ୍ରିରେ 9ଟି ରୂପରେ ମା' ଦୁର୍ଗାଙ୍କୁ ପୂଜାର୍ଚ୍ଚନା କରାଯାଏ । ଆଜି ନବରାତ୍ରିର ଚତୁର୍ଥ ଦିନ । କୁଷ୍ମାଣ୍ଡା ରୂପରେ ପୂଜା ପାଉଛନ୍ତି ମାଆ । ଆଗାମୀ ଦିନରେ ସ୍କନ୍ଧମାତା, କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀ ଓ ସିଦ୍ଧିଦାତ୍ରୀ ରୂପରେ ପୂଜା ପାଇବେ ଦୁର୍ଗେତି ନାଶିନୀ । ମହାସପ୍ତମୀରେ ମା'ଙ୍କୁ ଜୀବନ ଦାନ ଦିଆଯାଉଥିବା ବେଳେ ପର ଦିନ ଦୁର୍ଗାଷ୍ଟାମୀ ନବରାତ୍ରୀର ଏକ ବିଶେଷ ଦିନ । ଷୋଡଶ ଉପଚାର ପୂଜା ଓ ମହାସ୍ନାନ ସହ ମହାଷ୍ଟମୀ ଆରମ୍ଭ ହୋଇଥାଏ । ମହାନବମୀରେ କନ୍ୟା ପୂଜାର ପରମ୍ପରା ରହିଛି । ସେହିଦିନ ଛୋଟ ଛୋଟ ଝିଅ ମାନଙ୍କୁ ଦେବୀ ରୂପରେ ପୂଜା କରାଯାଏ । ଚଳିତ ବର୍ଷ କେଉଁ ଦିନ ଦୁର୍ଗାଷ୍ଟମୀ ପଡୁଛି ସେନେଇ ସମସ୍ତଙ୍କ ମନେର ଦ୍ବନ୍ଦ୍ବ ରହିଛି ।
ଗୋଟିଏ ଦିନରେ ଦୁର୍ଗାଷ୍ଟମୀ ଓ ନବମୀ ପୂଜା:
ମା'ଙ୍କ ଅଷ୍ଟମୀ ଓ ନବମୀ ପୂଜା କେଉଁ ଦିନ ତାହାକୁ ନେଇ ଭକ୍ତଙ୍କରେ ଦ୍ବନ୍ଦ୍ବ ରହିଛି । କାହିଁକିନା ଅଷ୍ଟମୀରେ କନ୍ୟା ପୂଜା ରହିଛି । ଚଳିତ ବର୍ଷ ଗୋଟିଏ ଦିନରେ ପଡିବ ଅଷ୍ଟମୀ ଓ ନବମୀ । ଦ୍ରୀଗ ପଞ୍ଚାଙ୍ଗ ଅନୁଯାୟୀ, ଅକ୍ଟୋବର 10 ତାରିଖ ଦିନ 12ଟା 31ରୁ ଦୁର୍ଗାଅଷ୍ଟମୀ ଆରମ୍ଭ ହେବେ । ଏହା ଅକ୍ଟୋବର 11 ତାରିଖ ଦିନ 12ଟା 6 ମିନିଟରେ ଶେଷ ହେବ । ସେହି ସମୟ ମଧ୍ୟରେ କନ୍ୟା ପୂଜା ହେବ । ତା ପରଠାରୁ ନବମୀ ତିଥି ଆରମ୍ଭ ହୋଇ 12 ତାରିଖ ସକାଳ 10ଟା 58 ମିନିଟରେ ଶେଷ ହେବ । 10 ଅକ୍ଟୋବରରେ ଅଷ୍ଟମୀ ଉପବାସ ହେବ ନାହିଁ । ଧାର୍ମିକ ଗ୍ରନ୍ଥରେ ସପ୍ତମୀ ସହିତ ଅଷ୍ଟମୀ ଉପବାସ ନିଷେଧ ବୋଲି ବିବେଚନା କରାଯାଏ । ଅଷ୍ଟମୀ ତିଥି 11 ଅକ୍ଟୋବରରେ ମଧ୍ୟାହ୍ନ ପର୍ଯ୍ୟନ୍ତ । ଏହା ପରେ ନବମୀ ଆରମ୍ଭ ହେବ । ଏହି କାରଣରୁ 2024 ରେ ଅଷ୍ଟମୀ ଏବଂ ନବମୀ ସମାନ ଦିନରେ ପଡୁଛି ।
ମହାଷ୍ଟମୀ ସମୟ:
- ଅଷ୍ଟମୀ ତିଥି 10 ଅକ୍ଟୋବର ମଧ୍ୟାହ୍ନ 12.31ରୁ ଆରମ୍ଭ ହେବ
- 11 ଅକ୍ଟୋବର ମଧ୍ୟାହ୍ନ 12.06ରେ ଶେଷ ହେବ