ନୂଆଦିଲ୍ଲୀ:ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା । ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଆଜି ବି ରାଉଜ ଆଭେନ୍ୟୁ କୋର୍ଟରୁ ମିଳିଲାନି ଆଶ୍ବସ୍ତି । ପୁଣି ବଢିଲା ନ୍ୟାୟିକ ହେପାଜତ ଅବଧି । ଆସନ୍ତା ଏପ୍ରିଲ 6 ତାରିଖ ଯାଏଁ ଜେଲରେ ରହିବେ ସିସୋଦିଆ । ଆଜି ଶୁଣାଣି ଥିବାବେଳେ 17 ଦିନ ନ୍ୟାୟିକ ହେପାଜତ ଅବଧି ବୃଦ୍ଧି କରିଛନ୍ତି ଦିଲ୍ଲୀ ରାଉଜ ଆଭିନ୍ୟୁ କୋର୍ଟ । କେନ୍ଦ୍ରୀୟ ସଂସ୍ଥା ସିବିଆଇ ଏବଂ ପରେ ଇଡି ଦ୍ବାରା ଗିରଫ ହେବା ପରେ ବେଲ୍ ପାଇବାରେ ସଫଳ ହେଉନାହାନ୍ତି ସିସୋଦିଆ ।
ଆଜି ସକାଳ ପ୍ରାୟ 10ଟା ସମୟରେ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରେ ହାଜର ହୋଇଥିଲେ ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଆଜି ତାଙ୍କର ଶୁଣାଣି ରହିଥିଲା । ତେବେ ଶୁଣାଣି ସମୟରେ ଆଜି ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡିଛି । ପୁଣିଥରେ କୋର୍ଟ ନ୍ୟାୟିକ ହେପାଜକୁ ଆସନ୍ତା ଏପ୍ରିଲ 6 ତାରିଖ ଯାଏଁ ବୃଦ୍ଧି କରିଛନ୍ତି । ଏହାପରେ ପୁଣି ଜେଲକୁ ଫେରିଯାଇଛନ୍ତି ଆପ୍ ନେତା ସିସୋଦିଆ । ପ୍ରକାଶ ଥାଉକି, ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୂର୍ବରୁ ଆଶ୍ବସ୍ତି ମିଳିସାରିଛି । ପୂର୍ବରୁ ସେ କୋର୍ଟରେ ହାଜର ହୋଇଥିବା ବେଳେ ତାଙ୍କୁ ଜାମିନ ମିଳିସାରିଛି । ଅନ୍ୟପଟେ ମନୀଷ ସିସୋଦିଆ ଗତ ବର୍ଷେ ହେଲା ଜେଲରେ ରହିଛନ୍ତି ।