ନୂଆଦିଲ୍ଲୀ: ନୂଆଦିଲ୍ଲୀର ଛତ୍ରସାଲ ଷ୍ଟାଡିୟମରେ ଆୟୋଜିତ ଗଣତନ୍ତ୍ର ଦିବସ ସମାରୋହରେ ସାମିଲ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଜନସଭାକୁ ସମ୍ବୋଧିତ କରିବା ସମୟରେ ଦିଲ୍ଲୀ ସରକାରଙ୍କ ଯୋଜନାକୁ ପ୍ରଶଂସା କରିବା ସହିତ ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରକୁ ନେଇ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ଗତ 22 ତାରିଖରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇ ସାରିଛି । ଏହା ସମଗ୍ର ଭାରତ ସମେତ ବିଶ୍ବ ପାଇଁ ଏକ ଖୁସି ଏବଂ ଗର୍ବର ବିଷୟ ବୋଲି କହିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ।
ରାମରାଜ୍ୟ ପ୍ରେରଣାରେ କାର୍ଯ୍ୟ କରୁଛି ସରକାର: ଛତ୍ରସାଲ ଷ୍ଟାଡିୟମରେ ଆୟୋଜିତ ରାଜ୍ୟ ସ୍ତରୀୟ ଗଣତନ୍ତ୍ର ଦିବସ ସମାରୋହକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି, "ଯେତେବେଳେ ରାମରାଜ୍ୟ କଥା ଆସେ ସେତେବେଳେ କୁହାଯାଏ, ମାନବ ଇତିହାସରେ ଏଭଳି ଖୁସି ଏବଂ ଶାନ୍ତିପୂର୍ଣ୍ଣ ଉତ୍ତମ ଶାସନ କେବେ ହୋଇ ନାହିଁ । ଆମେ ସେଥିରୁ ପ୍ରେରିତ ହୋଇ ସରକାର ଚଳାଇବା ପାଇଁ ଚେଷ୍ଟା କରୁଛୁ । "
ବରିଷ୍ଠକୁ ଅଯୋଧ୍ୟା ଦର୍ଶନ:ସେହିପରି ବରିଷ୍ଠ ନାଗରିକଙ୍କୁ ତୀର୍ଥଯାତ୍ରାକୁ ନେଇ ସେ କହିଛନ୍ତି, "ଆମେ ବରିଷ୍ଠ ନାଗରିକଙ୍କ ପାଇଁ 12ଟି ତୀର୍ଥସ୍ଥାନକୁ ନିଶୁଳ୍କ ତୀର୍ଥଯାତ୍ରା ବ୍ୟବସ୍ଥା ଆୟୋଜନ କରୁଛୁ । ବର୍ତ୍ତମାନ ସୁଦ୍ଧା 83,000 ଲୋକଙ୍କୁ ତୀର୍ଥଯାତ୍ରାରେ ନିଆଯାଇଛି । ଅନେକ ବରିଷ୍ଠ ନାଗରିକ ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ଆମେ ଯଥାସମ୍ଭବ ଲୋକଙ୍କୁ ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ ପାଇଁ ପ୍ରୟାସ କରିବୁ ।"