ନୂଆଦିଲ୍ଲୀ:କେନ୍ଦ୍ରୀୟ ସଂସ୍ଥା ‘ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର’ ସମନ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଦ୍ବାରସ୍ଥ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ତାଙ୍କ ବିରୋଧରେ ଜାରି କରାଯାଇଥିବା ସମସ୍ତ ସମନ ବେଆଇନ ଓ ଏହାକୁ ରଦ୍ଦ କରିବା ପାଇଁ ଆବେଦନରେ ଦର୍ଶାଯାଇଛି । ଆସନ୍ତାକାଲି ଦିଲ୍ଲୀ ହାଇକୋର୍ଟ ଏହି ମାମଲାର ଶୁଣାଣି କରିବେ । ଉଭୟ ଦିଲ୍ଲୀ ଅବକାରୀ ନୀତି ଘୋଟାଲା ମାମଲା ଓ ଦିଲ୍ଲୀ ଜଳବୋର୍ଡ ଘୋଟାଲା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କେଜ୍ରିଓ୍ବାଲଙ୍କୁ ଜେରା ପାଇଁ ସମନ ଜାରି କରିଛି । ଏପର୍ଯ୍ୟନ୍ତ ମୋଟ 9ଟି ସମନ କେନ୍ଦ୍ରୀୟ ସଂସ୍ଥା ପକ୍ଷରୁ ଆସିଥିଲେ ସୁଦ୍ଧା କେଜ୍ରିଓ୍ବାଲ ଥରେ ମାତ୍ର ହାଜର ହୋଇନାହାନ୍ତି ।
ଏହାକୁ ନେଇ ‘ଇଡି’ ରାଉଜ ଆଭିନ୍ୟୁ କୋର୍ଟରେ ମଧ୍ୟ ଦ୍ବାରସ୍ଥ ହୋଇଥିଲା । କୋର୍ଟ ପକ୍ଷ ରଖିବା ପାଇଁ କେଜ୍ରିଓ୍ବାଲଙ୍କୁ ସମନ ଜାରି କରିଥିଲେ । ପରେ ଏହି ମାମଲାରେ କେଜ୍ରିଓ୍ବାଲଙ୍କୁ ବେଲ ମଧ୍ୟ ମିଳିଥିଲା । ମାତ୍ର ବେଲ ମିଳିବାର ପରଦିନ ପରବର୍ତ୍ତୀ ତଥା 9ମ ସମନ ଜାରି କରିଥିଲା କେନ୍ଦ୍ରୀୟ ସଂସ୍ଥା । ଏଥର ମଧ୍ୟ ସେ ହାଜର ହୋଇନଥିଲେ । ଆଜି ସେ ସମସ୍ତ ସମନ ବିରୋଧରେ ସିଧା ହାଇକୋର୍ଟରେ ହାଜର ହୋଇଛନ୍ତି । କେବଳ ରାଜନୈତିକ ଉଦ୍ଦେଶ୍ୟମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ତମାମ ଆମ ଆଦମୀ ପାର୍ଟିର ନେତାଙ୍କୁ କେନ୍ଦ୍ରର ବିଜେପି ସରକାର ହଇରାଣ କରୁଛି ବୋଲି ଦଳ ଅଭିଯୋଗ ଆଣିଥିଲା । ଅନ୍ୟପଟେ ଗିରଫଦାରୀ ଭୟରେ କେଜ୍ରିଓ୍ବାଲ ଇଡିରେ ହାଜର ହେଉନାହାନ୍ତି ବୋଲି ବିଜେପି କହିଛି । ପୂର୍ବରୁ ଏହି ବହୁଚର୍ଚ୍ଚିତ ମାମଲାରେ ଦଳର ଅନ୍ୟତମ ବରଷ୍ଠ ନେତା ମନୀଷ ସିସୋଦିଆ ଓ ସଂଞ୍ଜୟ ସିଂ ଗିରଫ ହୋଇ ଏବେ ଜେଲରେ ଅଛନ୍ତି । ଗିରଫ ହେବା ପରେ ସିସୋଦିଆ ଏବେ ସୁଦ୍ଧା ବେଲ ପାଇବାରେ ମଧ୍ୟ ସକ୍ଷମ ହୋଇନାହାନ୍ତି ।