ନୂଆଦିଲ୍ଲୀ:ଆସନ୍ତାକାଲି (ସୋମବାର) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଓ ତାଙ୍କର ପଞ୍ଜାବ ପ୍ରତିପକ୍ଷ ଭଗବନ୍ତ ମାନ ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ କରିବେ । ଉଭୟ ନେତା ସପରିବାର ରାମଲାଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟା ଗସ୍ତ କରିବା ନେଇ ସୂଚନା ମିଳିଛି । ତେବେ ଗତମାସରେ ଶେଷ ହୋଇଥିବା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଉଭୟ ନେତାଙ୍କୁ ନିମନ୍ତ୍ରଣ କରାଯାଇନଥିବା ଅଭିଯୋଗ ହୋଇଥିଲା । ମନ୍ଦିର ପ୍ରତିଷ୍ଠା ଶେଷ ହେବା ପରେ ସପରିବାର ରାମଲାଲାଙ୍କ ଦର୍ଶନ ପାଇଁ ଯିବେ ବୋଲି ସେତେବେଳେ କେଜ୍ରିଓ୍ବାଲ କହିଥିଲେ ।
ଗତମାସ 22 ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ବାରା ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ସମାପିତ ହୋଇଥିଲା । ଏଥିରେ ବିଭିନ୍ନ ବର୍ଗରୁ ଦେଶ ଓ ବିଦେଶରୁ ପ୍ରାୟ 7ହଜାର ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ଅଂଶଗ୍ରହଣ କରିଥିଲେ । ତେବେ କେଜ୍ରିଓ୍ବାଲଙ୍କୁ ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇନଥିବା ଅଭିଯୋଗ ହୋଇନଥିଲା । ନିଜେ କେଜ୍ରିଓ୍ବାଲ କହିଥିଲେ, ତାଙ୍କୁ କେବଳ ଜଣେ ସହଯୋଗୀଙ୍କ ସହ ଅଯୋଧ୍ୟା ଆସିବା ପାଇଁ ଔନପଚାରିକ ଭାବେ ସୂଚନା ମିଳିଥିଲା । ହେଲେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ପରବର୍ତ୍ତୀ ସମୟରେ କୌଣସି ବିଧିବଦ୍ଧ ନିମନ୍ତ୍ରଣ କରାଯାଇନଥିଲା । ହେଲେ ତାଙ୍କ ପିତାମାତା ରାମଲାଲାଙ୍କ ଦର୍ଶନ ପାଇଁ ବେଶ ଉତ୍କଣ୍ଠାର ସହ ଅପେକ୍ଷାରେ ଅଛନ୍ତି । ମନ୍ଦିର ପ୍ରତିଷ୍ଠା ହେବା ପରେ ସେମାନେ ସପରିବାର ଅଯୋଧ୍ୟା ଯାତ୍ରା କରି ରାମଲାଲାଙ୍କ ଦର୍ଶନ କରିବେ ।